ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ: ଦେଶର ଉତ୍ତର ଭାଗରେ ଶୀତ ଲହରୀ ପ୍ରବାହିତ ହେଉଛି। ଅସହ୍ୟ ଥଣ୍ଡା ଓ କୁହୁଡି ଯୋଗୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ଅତ୍ୟଧିକ ଶୀତ ଯୋଗୁ ଉତ୍ତରାଖଣ୍ଡରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ରିପୋର୍ଟ ଅନୁଯାୟୀ, ଘନ କୁହୁଡି ଯୋଗୁ ରେଳ ଏବଂ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଆସନ୍ତା କିଛି ଦିନ ପାଇଁ ଏହିଭଳି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କାଶ୍ମୀରର କିଛି ସ୍ଥାନରେ ସାମାନ୍ୟ ବର୍ଷା ଓ ବରଫପାତ ହେବା ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ସୂଚନା ମିଳିଛି। ଗତ କିଛି ଦିନ ହେବ ସେଠାରେ ସର୍ବନିମ୍ନ ତାପମାତ୍ରାରେ ଅତ୍ୟଧିକ ହ୍ରାସ ଘଟିଛି। ଶ୍ରୀନଗରରେ ରାତି ତାପମାତ୍ରା ମାଇନସ ୩ ଦଶମିକ ୭ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ସେହି ସବୁ ଅଂଚଳରେ ଦିନ ତାପମାତ୍ରା ୫ ଦଶମିକ ୮ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।

ହିମାଚଳ ପ୍ରଦେଶରେ ପାଗ ଶୁଖିଲା ରହିଥିଲେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ମନାଲି, ସୁନ୍ଦର ନଗର, ଭୁନତାର, କେଲଙ୍ଗ ଓ କଳ୍ପରେ ଅଂଚଳରେ ଗତ ଦୁଇ ତିନି ଦିନ ହେବ ବରଫପାତ ଲାଗି ରହିଥିବାରୁ ତାପମାତ୍ରା ଶୂନ୍ୟରେ ପହଂଚିଛି। ରାଜସ୍ଥାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୩ ଦଶମିକ ୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ପଞ୍ଜାବ ଏବଂ ହରିଆଣାରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୧୯ ଓ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିଅସ ରହିଛି।

ଲଦାଖ ଏବଂ ଲେହ ଅଂଚଳରେ ପାଗ ଅତ୍ୟନ୍ତ କୋହଳ ରହିବା ସହ ଘନ କୁହୁଡି ଯୋଗୁ ଅନେକଗୁଡ଼ିଏ ବିମାନ ଉଡାଣ ବାତିଲ କରାଯାଇଛି। ଲେହରେ ତାପମାତ୍ରା ମାଇନସ ୧୭ ଦଶମିକ ୯ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।

Comments are closed.