ଥରୁଛି ଓଡିଶା:ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ବର: କୋହଲା ପବନ କମିଛି, ଖରା ତାତି ବି ବଢ଼ିଛି। କିନ୍ତୁ ଜାଡ଼ରୁ ନିସ୍ତାର ନାହିଁ। ଶୀତ ବଳୟରେ ସମଗ୍ର ଓଡ଼ିଶା ଥରୁଛି। ଲଗାତାର ତୃତୀୟ ଦିନ ପାଇଁ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରହିଛି। ଶନିବାର ଦିନ ସୋନପୁରରେ ତାପମାତ୍ରା ୩ ଡିଗ୍ରୀରେ ପହଞ୍ଚି ଥିବା ବେଳେ ଗତକାଲି ଏଠାରେ ପାରଦ ୫.୪ ଡିଗ୍ରୀରେ ପହଞ୍ଚିଛି। ରବିବାର ରାତିରେ ରାଜ୍ୟର ୧୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିଥିଲା। ଆହୁରି ଦିନେ ଦୁଇଦିନ ପର୍ଯ୍ୟନ୍ତ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
କନ୍ଧମାଳରେ ଶୀତ କଲବଲ କରୁଛି। ପ୍ରବଳ ଜାଡ଼ରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୁଇଦିନ ହେଲା ଦାରିଙ୍ଗବାଡ଼ି ଅପେକ୍ଷା ଫୁଲବାଣୀରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସୋମବାର ରାତିରେ ଥଣ୍ଡାର ପ୍ରକୋପକୁ ଦେଖି ବାଲେଶ୍ବର, ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି ଓ ସୋନପୁର ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧ ଓ ୨ ତାରିଖରେ ଶୀତ କମିବାର ସମ୍ଭାବନା ଅଛି। ତେବେ ୨ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷାର ସମ୍ଭାବନା ଅଛି। ୩ରୁ ୪ ତାରିଖ ମଧ୍ୟରେ ବର୍ଷା ଲାଗି ରହିବ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାତି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ସେହିପରି ଆସନ୍ତା ୨ରୁ ୩ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ। ଗତ ରାତିରେ ସୋନପୁରରେ ତାପମାତ୍ରା ୫.୪ ଡିଗ୍ରୀ ଥିବାବେଳେ ଅନୁଗୋଳରେ ୫.୬, ଫୁଲବାଣୀରେ ୬.୩, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କେନ୍ଦୁଝରରେ ୭.୪, ବାଲେଶ୍ବର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୮.୫, ସମ୍ବଲପୁରରେ ୮.୭, ଝାରସୁଗୁଡ଼ାରେ ୮.୯, ଭବାନୀପାଟଣାରେ ୯ ଡିଗ୍ରୀ, କୋରାପୁଟରେ ୯.୨, ତାଳଚେର ଓ ବାରିପଦାରେ ୯.୪, କଟକରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.