ନବୀକୃତ କଂଗ୍ରେସ ହିଁ ବିଜେପିକୁ ହରାଇବ : ତରୁର୍‌

ଅଧ୍ୟକ୍ଷ ନିର୍ବାଚନ : ମାର୍ଗଦର୍ଶିକା ଜାରି

ହାଇଦରାବାଦ୍‌ : ବିଜେପିକୁ ପରାସ୍ତ କରିବାକୁ ହେଲେ କଂଗ୍ରେସର ନବୀକରଣ ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି ବରିଷ୍ଠ ନେତା ଶଶୀ ତରୁର୍‌। କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ତରୁର୍‌ ପ୍ରଚାର ପାଇଁ ହାଇଦରାବାଦ୍‌ରେ ଅଛନ୍ତି। ଅଧ୍ୟକ୍ଷ ପଦ ନିମନ୍ତେ ତରୁର୍‌ଙ୍କ ମୁକାବିଲା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ହେବ।
ସୋମବାର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ତରୁର୍‌ କହିଥିଲେ ଗତ ଦୁଇଟି ସାଧାରଣ ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଆଗାମୀ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ହେଲେ କଂଗ୍ରେସରେ ନବୀକରଣ ଆବଶ୍ୟକ। ନୂଆ ରଣନୀତି ପ୍ରସ୍ତୁତ କରିବା ସହ ନୂତନ ଉତ୍ସାହ କର୍ମୀମାନଙ୍କ ମଧ୍ୟରେ ଭରି ଦେଲେ କଂଗ୍ରେସ ପୁନର୍ବାର କେନ୍ଦ୍ରରେ କ୍ଷମତାକୁ ଫେରିବ।
ଅନ୍ୟପକ୍ଷରେ କଂଗ୍ରେସରେ ଜି୨୩ ନାମକ କୌଣସି ଗୋଷ୍ଠୀ ନ ଥିବା ତରୁର୍‌ କହିଛନ୍ତି। ସୂଚନାଥାଉ କି କଂଗ୍ରେସର ପରିଚାଳନାଗତ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଜି୨୩ ଗୋଷ୍ଠୀ ତରଫରୁ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖାଯାଇଥିଲା। ତରୁର୍‌ ସେହି ଜି୨୩ ଗୋଷ୍ଠୀ ସଦସ୍ୟ ବୋଲି ଚର୍ଚ୍ଚା ହେଉଛି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ତରୁର୍‌ କହିଛନ୍ତି କଂଗ୍ରେସରେ ଜି୨୩ ବୋଲି କୌଣସି ଗୋଷ୍ଠୀ ନାହିଁ। ଏହା ଗଣମାଧ୍ୟମର ମନଗଢ଼ା କଥା। କଂଗ୍ରେସର ପରିଚାଳନାରେ ପରିବର୍ତ୍ତନ ଅଣାଯିବା ଉଚିତ୍‌ ବୋଲି ଏକଶହରୁ ଅଧିକ ନେତା ଏକମତ ହୋଇଥିଲେ। ସେହି ସମୟରେ କରୋନା ସଂକ୍ରମଣ ବ୍ୟାପିବାରୁ ଦିଲ୍ଲୀରେ ଥିବା ୨୩ଜଣ ନେତା ଏ ସଂକ୍ରାନ୍ତୀୟ ପତ୍ରରେ ଦସ୍ତଖତ କରିଥିଲେ। ପରବର୍ତ୍ତୀ ସମୟରେ ଗଣମାଧ୍ୟମ ତରଫରୁ ଏହାକୁ ନେଇ ଜି୨୩ ଗୋଷ୍ଠୀ ଥିବା ପ୍ରଚାର କରାଯାଇଥିଲା ବୋଲି ତରୁର୍‌ ସ୍ପଷ୍ଟ କରି ଦେଇଛନ୍ତି।
ଅଧ୍ୟକ୍ଷ ପଦ ନିମନ୍ତେ ତାଙ୍କ ସହ ଖଡଗେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସେମାନେ ପରସ୍ପରର ଶତ୍ରୁ ନୁହନ୍ତି ବୋଲି ତରୁର୍‌ କହିଛନ୍ତି। ଖଡଗେ ଦଳର ବରିଷ୍ଠ ନେତା ହୋଇଥିବାରୁ ସେ ତାଙ୍କୁ ସମ୍ମାନ ଦିଅନ୍ତି। ତେବେ ଖଡଖେ ଦଳରେ ପରବର୍ତ୍ତନ ଆଣିବାକୁ ସକ୍ଷମ ହେବେ ନାହିଁ ବୋଲି ତରୁର୍‌ କହିଥିଲେ। ଦଳରେ ପରିବର୍ତ୍ତନ ଆଣିବାକୁ ସେ ସକ୍ଷମ ବୋଲି ତରୁର୍‌ କହିବା ସହ କର୍ମୀମାନେ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

ଅଧ୍ୟକ୍ଷ ନିର୍ବାଚନ : ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ,୩ା୧୦: ଅଧ୍ୟକ୍ଷ ପଦ ନିମନ୍ତେ ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର କଂଗ୍ରେସ ନିର୍ବାଚନ ଅଧିକାରୀଙ୍କ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ କୌଣସି ପଦାଧିକାରୀ ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରଚାର କରିପାରିବେ ନାହିଁ। ଯଦି କୌଣସି ପଦାଧିକାରୀ ପ୍ରଚାର କରିବାକୁ ଚାହାନ୍ତି ତେବେ ତାଙ୍କୁ ପ୍ରଥମେ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିବ।
ସର୍ବଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ସହ ବିଭିନ୍ନ କମିଟିର ମୁଖ୍ୟ ଓ ମୁଖପାତ୍ରମାନେ ଅଧ୍ୟକ୍ଷ ପଦ ନିମନ୍ତେ କୌଣସି ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିପାରିବେ ନାହିଁ। କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଆସନ୍ତା ୧୭ରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ୧୯ରେ ଫଳାଫଳ ପ୍ରକାଶ ପାଇବ। ଏଥିରେ ୯ହଜାରରୁ ଅଧିକ ପ୍ରତିନିଧି ଭୋଟ୍‌ ଦେବେ। ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ତରୁର୍‌ ରହିଥିବା ବେଳେ ସେମାନେ ବିଭିନ୍ନ ରାଜ୍ୟକୁ ପ୍ରଚାର ପାଇଁ ଯିବା ସମୟରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କୁହାଯାଇଛି। ସେହିପରି ନିର୍ବାଚନ ପ୍ରଚାର ସମୟରେ ଦଳକୁ କ୍ଷତି ପହଞ୍ଚାଇବା ଭଳି କୌଣସି କାର୍ଯ୍ୟ ନ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ନିର୍ବାଚନ ପାଇଁ ଜାରି ମାର୍ଗଦର୍ଶିକାକୁ ଶଶୀ ଥରୁର୍‌ ସ୍ବାଗତ କରିଛନ୍ତି।

Comments are closed.