ନିଶା ଔଷଧ ରାକେଟର ପର୍ଦ୍ଦାଫାସ : ବିପୁଳ ପରିମାଣର ନିଶା ବଟିକା ଓ ଇଞ୍ଜେକ୍ସନ ଜବତ, ୨ ଗିରଫ

ବ୍ରଜରାଜନଗରରୁ ରାଜଗାଙ୍ଗପୁର ଦେଇ କଲିକତା ଲିଙ୍କ

ବ୍ରଜରାଜନଗର : ଓରିଏଣ୍ଟ ଥାନା ପୁଲିସ ଆନ୍ତଃରାଜ୍ୟ ବେଆଇନ ନିଶା କାରବାର ସଂକ୍ରାନ୍ତ ବଡ଼ ରାକେଟର ପର୍ଦ୍ଦାଫାଶ କରିଛି। ଏ ଘଟଣାର କିଙ୍ଗପିନ୍ ମଣ୍ଡଳିଆର ବିନୋଦ ସାହୁ (୪୧)ଙ୍କୁ ପୋଲିସ ଯୋଜନାବଦ୍ଧ ଭାବେ ଧରିବାରେ ସଫଳ ହୋଇଛି। ଏହା ସହିତ ରାଜଗାଙ୍ଗପୁରର ଔଷଧ ଦୋକାନୀ ବିଜୟ କୁମାର ପାତ୍ର (୨୭)କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।
ଗୋଷ୍ଠୀ ବିବାଦ ଓ ପତିଆରାର ଲଢେଇକୁ ନେଇ ବିଗତ କିଛି ବର୍ଷ ଧରି ବ୍ରଜରାଜନଗର ଅପରାଧର ଗଡ଼ରେ ପରିଣତ ହୋଇଥିଲା। କଥା କଥା କେ ବନ୍ଧୁକ ଫୁଟୁଥିବା ବେଳେ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ରକ୍ତ ବୋହି ଯାଉଥିଲା। ହେଲେ କିଛି ମାସ ହେଲା ପୁଲିସ ସଂମ୍ପୂର୍ଣ୍ଣ ନ ହେଲେ ମଧ୍ୟ ଅପରାଧ ଓ ଅପରାଧୀଙ୍କ ଉପରେ ଲଗାମ କସିବାରେ ସକ୍ଷମ ହୋଇ ପାରିଛି। କୋଇଲା ବଟି ଓ ସହଜରେ ଟଙ୍କା ଉପାର୍ଜନ ପାଇଁ ଗୋଷ୍ଠୀ ତିଆରି କରିଥିବା ମାଫିଆମାନେ ନିଜର ଅନୁଗତଙ୍କୁ ଶିରାରେ ଇଞ୍ଜେକ୍ସନ ଦେଇ କିମ୍ବା ବଟିକା ଖୁଆଇ ନିଶାରେ ଚୁର ରଖୁଥିଲେ। ନିଶା ଅଭ୍ୟସ୍ତ ଯୁବକଙ୍କୁ ନିଶା ନ ମିଳିଲେ ପାଗଳ ପ୍ରାୟ ହେଉଥିବା ବେଳେ ମାଫିଆମାନେ ଏହାର ଫାଇଦା ଉଠାଇ ଅନେକ ଅପରାଧିକ କାଣ୍ଡ ଘଟାଇବାକୁ ପଛାଉନଥିଲେ। ସେପଟେ ନିଶା କାରବାର ଉପରେ ବିଗତ କିଛି ଦିନ ହେଲା ପୁଲିସ ଜାଲ ବିଛାଇ ରାକେଟ ଉପରେ ତୀକ୍ଷ୍ଣ ନଜର ରଖିଥିଲା।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ବିନୋଦକୁ ପୁଲିସ ଗିରଫ କରି ଖାନ ତଲାସୀ କରିବା ବେଳେ ତା ନିକଟରୁ ୫୦୦ ନିଶା ଇଞ୍ଜେକସନ ଜବତ କରିଥିବା ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ କହିଛନ୍ତି। ଘଟଣାର ଅଧିକ ଛାନଭିନ କରିବାରୁ ରାଜଗାଙ୍ଗପୁର ଲିପଲୋଇ ଅଞ୍ଚଳର ଏକ ମେଡ଼ିକାଲ ଷ୍ଟୋର ସହିତ ଲିଙ୍କ ଥିବା ଜାଣିବାକୁ ମିଳିଥିଲା। ଏସଡ଼ିପିଓ ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରାଜଗାଙ୍ଗପୁର ଲିପଲୋଇର ପାତ୍ର ମେଡ଼ିକାଲରେ ଚଢ଼ଉ କରି ୪ ହଜାର ୪୦୦ ନିଶା ବଟିକା ଜବତ କରିଛି। ଯାଞ୍ଚ ବେଳେ ଦୋକାନର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବା ଜଣାପଡିଛି। ପାତ୍ର ମେଡ଼ିକାଲ କୋଲକାତାରୁ ନିଶା ଔଷଧ ମଗାଉଥିବା ତଦନ୍ତରୁ ଜଣା ପଡ଼ିଥିବା ଶ୍ରୀ ଦାସ କହିଛନ୍ତି। ଆଜି ଅପରାହ୍ନରେ ଓରିଏଣ୍ଟ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଏ ବିଷୟରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓରିଏଣ୍ଟ ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍ ଉପସ୍ଥିତ ଥିଲେ।
କୁପଥଗାମୀ ଯୁବପୀଢିଙ୍କ ମଧ୍ୟରେ ମଦର ବିକଳ୍ପ ପାଲଟିଛି ନିଶା ଔଷଧ। ଖୋଲା ପଡ଼ିଆରୁ ଆରମ୍ଭ କରି ନିଛାଟିଆ ବୁଦା, ଖେଳ ପଡ଼ିଆ ସବୁ ଜାଗାରେ ପଡ଼ି ରହିଛି ନିଶା ଇଞ୍ଜେକ୍ସନ ଓ କଫ୍ ସିରଫର ଖାଲି ବୋତଲ। କମ୍‌ ଦାମରେ ଅଧିକ ନିଶା ଖୋଜୁଥିବା ଯୁବପୀଢି ନିଶା ବଟିକା ଅପେକ୍ଷା ହାତର ଶିରାରେ ଇଞ୍ଜେକ୍ସନ ନେବାକୁ ଅଧିକ ପସନ୍ଦ କରୁଛନ୍ତି। ଆଉ ଏହାର ପ୍ରଭାବରେ ଏମାନେ ନାନା ଅସାମାଜିକ ଓ ଅପରାଧୀକ କାର୍ଯ୍ୟ ଘଟାଇବାକୁ ପଛାଉ ନାହାନ୍ତି। ଏମତିକି ବିଗତ ଦିନରେ ଘଟିଥିବା ଅନେକ ହତ୍ୟାକାଣ୍ଡ ପଛରେ ଅପରାଧୀ ନିଶା ଔଷଧ ସେବନ କରଥିବା ସ୍ପଷ୍ଟ ହୋଇଥିଲା। କେବଳ ଯୁବପୀଢି ନୁହନ୍ତି ଗାଡ଼ି ଚାଳକ, ଶ୍ରମିକ, କର୍ମଚାରୀ ମଧ୍ୟ ନିଶା ବଟିକା, କଫ ସିରପ ଓ ଇଞ୍ଜେକ୍ସନ ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ସହିତ ପାରିବାରିକ କଳହ ଲାଗି ରହୁଥିବା ଅଭିଯୋଗ ହେଉଛି। ଅପରପକ୍ଷେ ନିଶା ପାଇଁ ଅନେକ ପିତା ମାତା ନିଜ ପୁଅକୁ ହରାଇଥିବା ବେଳେ କେତେକ ପିତା ମାତା କୁପଥଗାମୀ ସନ୍ତାନକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଥିଲେ ହେଁ ଏଥିରେ ବାଧକ ସାଜିଥିଲା ବେଆଇନ ନିଶା ଔଷଧ ବେପାର। ସେପଟେ ଦୀର୍ଘ ଦିନ ଧରି ନିଶାର ପସରା ମେଳାଇଥିବା ବିନୋଦ ପୁଲିସ ହାତରେ ଧରା ପଡ଼ିବା ପରେ ଅନେକ ପରିବାରଙ୍କୁ ଆଶ୍ବସ୍ତି ମିଳିଛି। ପୁଲିସକୁ ଏଥି ପାଇଁ ସେମାନେ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.