ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋଭାବ ପରିପ୍ରକାଶ ହୋଇଥାଏ

କଟକ ମହାନଗର ନିଗମ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୧୯

କଟକ ସଦର : ବିଜ୍ଞାନ ପ୍ରଦର୍ଶନୀ ଓ ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ନବସୃଜନ ଓ ବୈଜ୍ଞାନିକ ମନୋଭାବ ପରିପ୍ରକାଶ ହୋଇଥାଏ । ସେହିପରି ବିଜ୍ଞାନର ପ୍ରଚାର ଓ ପ୍ରସାର ଦ୍ୱାରା ହିଁ ରାଜ୍ୟ ତଥା ଦେଶର ପ୍ରଗତି ସମ୍ଭବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ଖାନନଗର ନୋଡାଲ ହାଇସ୍କୁଲ ପରିସରରେ କଟକ ମହାନଗର ନିଗମ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୧୯ରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି ।  ସମଗ୍ରଶିକ୍ଷା ଓ କଟକ ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ପୂର୍ବାହ୍ଣରେ ଆୟୋଜିତ ଉଦଘାଟନ ଉତ୍ସବରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ବେହେରା ଏହାକୁ ଉଦଘାଟନ କରି ବିଜ୍ଞାନ ମେଳା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଅଧିକ ଆକର୍ଷିତ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜ୍ୟୋତିଷ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ୟୁଆରସିସି ଅଜୟ କୁମାର ସାହୁ, ବିଆରସିସି ଅନନ୍ତ ଚରଣ ଦେହୁରୀ, ଏବିଇଓ ସରସ୍ୱତୀ କାନୁନଗୋ ଓ ପୁଷ୍ପାଞ୍ଜଳୀ କର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜି ରାୟ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ କଟକ ମହାନଗର ନିଗମର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୫୦ରୁ ଅଧିକ ପ୍ରକଳ୍ପ ସ୍ଥାନ ପାଇଥିଲା।

ଅପରାହ୍ଣରେ ଆୟୋଜିତ ଉଦ୍‍ଯାପନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ ବିଜୟ କୁମାର ଖଣ୍ଡାୟତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଥିଲେ। ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ବୈରାଗୀ ଚରଣ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀମାନେ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଅଧିକ ମାତ୍ରାରେ ମନୋନିବେଶ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ୟୁଆରସିସି ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ବିବେଚିତ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। କଟକ ମହାନଗର ନିଗମ ଓ କଟକ ସଦରର ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.