ବକେୟା ୧୦୮୮କୋଟିର ‘ମନରେଗା’ ପାଉଣା ଦିଅ : ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଭୁବନେଶ୍ୱର : କରୋନା ମହାମାରୀ କାଳରେ ଗ୍ରାମୀଣ ଭିତ୍ତିଭୂମି ଓ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ପ୍ରବାସୀଙ୍କୁ କାର୍ଯ୍ୟ ଯୋଗାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ୧୦୮୮.୭୨କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ମିଳିନାହିଁ। ଉକ୍ତ ଅର୍ଥକୁ ତୁରନ୍ତ ଯୋଗାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଶ୍ରୀ ପଟ୍ଟନାୟକ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦର୍ଶାଇଛନ୍ତି ଯେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ମଜୁରି ବାବଦକୁ ୩୭୭.୯୧କୋଟି ଟଙ୍କା ବକେୟା ରହିଥିବାବେଳେ ବିଭିନ୍ନ ପ୍ରକାର ସାମଗ୍ରୀ ଉପାଦାନ(ମେଟେରିଆଲ କମ୍ପୋନେଣ୍ଟ)ବାବଦକୁ ୭୧୦.୮୧କୋଟି ରହିଛି। ମନରେଗା ନିୟମ ଅନୁଯାୟୀ ଜବକାର୍ଡଧାରୀ ଶ୍ରମିକଙ୍କୁ ନିର୍ଦିଷ୍ଟ ସମୟ ଭିତରେ ମନରେଗାର ପ୍ରାପ୍ୟ ଦିଆଯିବା କଥା। ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅନୁଦାନ ବିଳମ୍ବ ଯୋଜନାର ରୂପରେଖରେ ଅନ୍ତରାୟ ସୃଷ୍ଟି କରୁଛି। ତେଣୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ କିଭଳି ନିର୍ଦିଷ୍ଟ ସମୟ ମଧ୍ୟରେ ଦେୟ ଦେବ ସେଦିଗରେ ଆବଶ୍ୟକ ପରାମର୍ଶ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ କରୋନା ମହାମାରୀ ସମୟରେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀମାନେ ଏବେ ଫେରି ପାରୁନାହାନ୍ତି। ଗ୍ରାମାଞ୍ଚଳସ୍ତରରେ ମନରେଗାରେ ଅଧିକ କାର୍ଯ୍ୟର ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମ ବଜେଟରେ ମନରେଗା ବାବଦକୁ ୨୫କୋଟି ଶ୍ରମଦିବସ ସୃଷ୍ଟି ଲକ୍ଷ ରହିଛି। ତେଣୁ ‘ମନରେଗା’ ବାବଦ ବକେୟା ଅର୍ଥ ନିର୍ଦିଷ୍ଟ ସମୟରେ କିଭଳି ରାଜ୍ୟକୁ ମିଳିବ ସେଦିଗରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.