ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି: ଫଣି ପ୍ରଭାବିତଙ୍କ ସହ ୧୩ଲକ୍ଷ ହିତାଧିକାରୀଙ୍କୁ ପିଏମଏୱାଇରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ) ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫଣିରେ ପ୍ରଭାବିତ ସହ ରାଜ୍ୟରେ ୧୩ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।
ଫଣି ବାତ୍ୟା ପାଇଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯାଉ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି। ଏହା ସହିତ ଫଣି ଦ୍ୱାରା ପ୍ରଭାବିତ ହୋଇନଥିବା ୧୩ ଲକ୍ଷ ଘର କେବିକେ ଅଞ୍ଚଳରେ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।
୨୦୧୯ ମେ’ ମାସରେ ହୋଇଥିବା ଫଣି ମହାବାତ୍ୟାରେ ଓଡିଶାର ଅନେକ ଜିଲାରେ ଲୋକେ ବାସହରା ହୋଇ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ପାଇପାରିନାହାଁନ୍ତି। ଏନେଇ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏହାସହ ଅଣ ଫନି ପ୍ରଭାବିତ ଆଦିବାସୀ ଅଧୁଷିତ ଅଞ୍ଚଳରେ ମଧ୍ୟ ହିତାଧିକାରୀଙ୍କୁ ୧୩ ଲକ୍ଷ ଘର ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।

 

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ଯୋଗ୍ୟ ପିଏମଏୱାଇ ଅଧୀନରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ ସାଧାରଣ ନିର୍ବାଚନ ସହିତ ବାମପନ୍ଥୀ ଉଗ୍ରବାଦୀ ହିଂସା ଓ ନେଟୱାର୍କ ସମସ୍ୟା ଯୋଗୁଁ ଏହି ସର୍ଭେକ୍ଷଣକୁ ସମ୍ପୂର୍ଣ୍ଣ କରାଯାଇପାରିନାହିଁ। ଏଭଳି ସ୍ଥିତିରେ ନିର୍ଦ୍ଧାରିତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇପାରିଛି। ଏହାପରେ ଯେତେବେଳେ ଏମଓଆରଡି ଅଧିନରେ ୧୪ଟି ଜିଲା ପାଇଁ ଆୱାସ୍ ୱିଣ୍ଡୋ ଖୋଲିଲା ସେତେବେଳେ ଆଉ ୭.୮୭ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ କିଛି ହିତାଧିକାରୀ ଫନି ପ୍ରଭାବିତ ଜିଲାର ହୋଇଥିବାବେଳେ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଇଲାକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।
ଚଳିତ ବର୍ଷ ଜୁଲାଇରେ ଏନେଇ କରାଯାଇଥିବା ଅନୁରୋଧକୁ ଏମଓଆରଡି (ମିନିଷ୍ଟ୍ରି ଅଫ୍ ରୁରାଲ ଡେଭଲପମେଣ୍ଟ) ଦ୍ୱାରା ପ୍ରତ୍ୟାଖ୍ୟାନ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଓଡିଶାକୁ ୮.୧୭ ଲକ୍ଷ ଘର ଯୋଗାଇଦେଇଥିବାରୁ ପ୍ରଧାମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ । ଏବେ ସର୍ଭେକ୍ଷଣ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଆବଶ୍ୟକ ଘର ଯୋଗାଇଦେବାକୁ ଅନୁରୋଧ କରିବା ସହ ଗରୀବ ଆଦିବାସୀଙ୍କ ପ୍ରତି କେନ୍ଦ୍ର ଶୀଘ୍ର ସାହାଯ୍ୟର ହାତ ବଢାଇବ ବୋଲି ରାଜ୍ୟ ଆଶାବାଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments are closed.