ଟିକାକରଣ ତ୍ବରାନ୍ବିତ, କୋଭିଡ ଚିକିତ୍ସା ବ୍ୟବସ୍ଥା କ୍ରିୟାଶୀଳ ପାଇଁ ନିର୍ଦେଶ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ପ୍ରକରଣ ଓମିକ୍ରନ୍‌ ସମ୍ପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନର ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ ପାଇଁ ନିର୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ୮ଟି ଓମିକ୍ରନ୍‌ ମାମଲା ଦେଖାଦେଇଛି। ଏହାର ପ୍ରଭାବ ଆହୁରି ବଢ଼ିପାରେ। ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦେଇ କହିଛନ୍ତି, ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ। ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା କରାଯାଇଥିଲା, ସେ ସବୁକୁ ପୁନଃ ପ୍ରସ୍ତୁତ କରି ରଖାଯାଉ। ଏହାଦ୍ବାରା ଡାକ୍ତରଖାନାରେ ରୋଗୀଙ୍କ ତୁରନ୍ତ ଚିକିତ୍ସା ହୋଇପାରିବ। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ପୁଲିସ ବିଭାଗ କରୋନା ନିୟମର ଦୃଢ଼ ଅନୁପାଳନ ସୁନିଶ୍ଚିତ କରୁ। ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ। ପ୍ରଥମ ଓ ଦ୍ବିତୀୟ ଲହରରେ ଯେଉଁଭଳି ଭଲ କାମ ହୋଇଥିଲା, ସେହିପରି ଭାବରେ ଏଥର ମଧ୍ୟ ଦୃଢ଼ ପଦକ୍ଷେପ ନିଆଯାଉ। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଉ। ଜିଲାପାଳମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ। ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ। ଆଉ ଗୋଟିଏ ନୂଆ ଲହର ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସତର୍କ ରହିବା ସହିତ ସମସ୍ତ କରୋନା ନିୟମର ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍‌ଥ କାର୍ଡଗୁଡ଼ିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗ ଓ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଯୋଜନାର କାର୍ଯ୍ୟାନ୍ବୟନ ସମ୍ପର୍କରେ ନିୟମିତ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦେଶ ଦେଇଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜିଲାପାଳ ଓ ଏସ୍‌ପିଙ୍କ ସହ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସମସ୍ତ କୋଭିଡ ଡାକ୍ତରଖାନା ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ ଶର୍ମା କହିଥିଲେ ଯେ ଓମିକ୍ରନ୍‌ର ସଂକ୍ରମଣ ରୋକିବାକୁ ଅଧିକ ସତର୍କତାମୂଳକ ପଦକ୍ଷେପ ସହ ନିୟମର ଦୃଢ଼ ଅନୁପାଳନ ଓ ପରୀକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଛି। ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ପାନ ନେଇ ନ ଥିବା ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଅମ୍ଳଜାନ ପାଇଁ ୮୨ଟି ପିଏସ୍‌ଏ ପ୍ଲାଣ୍ଟ ଓ ୧୫ଟି ଏଲଏମ୍‌ଓ ପ୍ଲାଣ୍ଟ କରାଯିବ। ସେହିପରି କୋଭିଡ ଡାକ୍ତରଖାନାରେ ୬୬୮୪ଟି ଶଯ୍ୟା ରହିଛି ଏବଂ ପିଲାଙ୍କ ପାଇଁ ୧୧୯୪ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଉପସ୍ଥାପନା ରଖି ସେ କହିଥିଲେ ଯେ ଏହି ଯୋଜନାରେ ଓଡ଼ିଶାର ୨୭୫ଟି ଘରୋଇ ଡାକ୍ତରଖାନା ଅନୁବନ୍ଧିତ ହୋଇଛନ୍ତି । ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କୋଭିଡ ନିୟମର ଅନୁପାଳନ ପାଇଁ ପୁଲିସର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଯୀ ଜିଲାପାଳ ଓ ଏସ୍‌ପିମାନେ ଘରୋଇ ଡାକ୍ତରଖାନା ସହିତ ବିଏସକେୱାଇ ଯୋଜନା ସମ୍ପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ। ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ। ଯେଉଁ ଜିଲାଗୁଡ଼ିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଥିଲେ। ବୈଠକରେ ଉନ୍ନୟନ ଆୟୁକ୍ତ ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲାପାଳ ଓ ଏସ୍‌.ପି ଯୋଗ ଦେଇଥିଲେ।

Comments are closed.