ଆଗକୁ ଆହୁରି ସୁନ୍ଦର ଦିଶିବ ପୁରୀ : ମୁଖ୍ୟମନ୍ତ୍ରୀ

ଐତିହ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଆଗକୁ ଆହୁରି ସୁନ୍ଦର ଦିଶିବ ପୁରୀ ସହର। ମୁଁ ପୁରୀ ଆସିଲେ ବହୁତ ଖୁସି ଅନୁଭବ କରିଥାଏ ପୁରୀ ଆସିବାକୁ ଭଳପାଏ ବୋଲି  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ଗୁରୁବାର ପୁରୀରେ ପହଞ୍ଚିବା ପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ  । ଏହା ପରେ ଗଣମାଧ୍ୟମକୁ ଏହି ସୂଚନା ଦେବା ସହିତ ସେ ସମସ୍ତଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀରେ ଐତିହ୍ୟ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସମୂହର ଶିଳାନ୍ୟାସ କରିଛନ୍ତି । ଶ୍ରୀସେତୁ ସମେତ ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କମ୍ପଲେକ୍ସ, ପୁରୁଣା ଜେଲ୍‌ ଜମିରେ ବହୁତଳ କାର୍‌ ପାର୍କିଂ, ମ୍ୟୁନିସ୍‌ପାଲ ମାର୍କେଟ କମ୍ପଲେକ୍ସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।
ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ରାଜ୍ୟ ସରକାର ଗତବର୍ଷ ଅଗଷ୍ଟ ୨୩ରେ ୫ଶହ କୋଟି ଟଙ୍କା ମଞ୍ଜୁର କରିଥିଲେ। ୨ବର୍ଷରେ ପୁରୀ ସହରର ଚିତ୍ର ବଦଳାଇବାକୁ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର କରାଯାଇଛି। ମାଳତୀପାଟପୁରରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ଅତ୍ୟାଧୁନିକ ଶ୍ରୀସେତୁ ନିମନ୍ତେ ୧୮୧କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାଛଡା ଆଉ ୧୯୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜଗନ୍ନାଥ ବଲ୍ଲଭ ମଠରେ ୧୦ହଜାର ଲୋକଙ୍କ ପାଇଁ ଧ୍ୟାନକେନ୍ଦ୍ର ସମେତ ବହୁତଳ ପାର୍କିଂ, ତୀର୍ଥଯାତ୍ରୀ ସୁବିଧାକେନ୍ଦ୍ର ଏବଂ କମର୍ସିଆଲ କମ୍ପଲେକ୍ସ ନିର୍ମାଣ କରାଯିବ। ପୁରୁଣା ଜେଲ୍‌ ଜମିରେ ବହୁତଳ କାର୍‌ ପାର୍କିଂ ପାଇଁ ପ୍ରାୟ ୯୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେଠାରେ ଏକକାଳୀନ ୫ଶହ କାର୍‌ ପାର୍କିଂ ବ୍ୟବସ୍ଥା କରାଯିବ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ସେଠାରେ ଥଇଥାନ ନିମନ୍ତେ ତଳମହଲାରେ ୩୫୦ ଦୋକାନ ଘର ନିର୍ମାଣ ପ୍ରସ୍ତାବ ରହିଛି। ଦଇତାପଡା ସାହି ମାର୍କେଟ କମ୍ପଲେକ୍ସ ଚାରିତାଲା ବିଶିଷ୍ଟ କରାଯିବ। ସେଠାରେ ୪୭୯ ଦୋକାନଘର ସମେତ ତଳମହଲାରେ ୫ଶହ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ୪୪.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଛଡା ୫କୋଟି ଟଙ୍କା ବ୍ୟୟରେ ସ୍ବର୍ଗଦ୍ବାର ଶ୍ମଶାନ ବିକାଶ ଏବଂ ୧୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମୁଦ୍ର ବେଳାଭୂମିରେ ଭେଣ୍ଡିଂଜୋନ୍‌ ନିର୍ମାଣ କରାଯିବ। ମଙ୍ଗଳାଘାଟରେ ଆହାର ଯୋଜନାରେ ଏକକାଳୀନ ୫୦ହଜାର ଲୋକଙ୍କ ପାଇଁ ରୋଷଶାଳା ନିର୍ମାଣ କରାଯିବ। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମକୁ ରାଜ୍ୟ ସରକାର ଏହିସବୁ ପ୍ରକଳ୍ପର କାର୍ଯ୍ୟକାରୀ ଦାୟିତ୍ବ ପ୍ରଦାନ କରିଛନ୍ତି। ଟେଣ୍ଡର ପ୍ରକ୍ରିୟା ଖୁବ୍‌ଶୀଘ୍ର ଚୂଡାନ୍ତ କରାଯାଇ ଅଭିଜ୍ଞ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ ବୋଲି ସେତୁ ନିଗମ ନିର୍ବାହୀଯନ୍ତ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ୨ବର୍ଷ ମଧ୍ୟରେ ୫୨୨.୮୨ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବା ପ୍ରସ୍ତାବ ରହିଛି। ଶ୍ରୀସେତୁ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୭ଟି ପ୍ରକଳ୍ପ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲିକ, ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ସଂଜୟ ଦାସ ବର୍ମାଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ୨୫ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା।

Comments are closed.