ଓଡ଼ିଶା ବିକାଶର ବାର୍ତ୍ତାବହ ସାଜିଛନ୍ତି ମହିଳା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ସାମଗ୍ରିକ ବିକାଶରେ ମହିଳାମାନେ ପଥ ପ୍ରଦର୍ଶକ ହୋଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଟାଇମ୍ସ ଗ୍ରୁପ ଦ୍ବାରା ଭୁବନେଶ୍ବରରେ ଅନୁଷ୍ଠିତ ‘ଟାଇମ୍ସ ପ୍ରଭାବୀ ମହିଳା’ର ପ୍ରଥମ ସଂସ୍କରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ‌ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ବିକାଶ ବିଶେଷକରି ଆକାଂକ୍ଷୀ, ସଶକ୍ତ ଏବଂ ପରିବର୍ତ୍ତନଧର୍ମୀ ଅଭିବୃଦ୍ଧି ହାସଲ କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ଉପରେ ତାଙ୍କ ସରକାର ଗୁରୁତ୍ବ ଦେଇଛନ୍ତି। ସେ କହିଛନ୍ତି, କୌଣସି ଘର, ସମାଜ, ରାଜ୍ୟ, କିମ୍ବା ଦେଶ ନିଜ ମହିଳାଙ୍କୁ ସଶକ୍ତ ନ କରି ଆଗକୁ ବ ଢ଼ି ପାରେ ନାହିଁ। ସେଥିପାଇଁ ମହିଳା ଓ ଝିଅଙ୍କୁ ଆର୍ଥିକ ସ୍ତରରେ ସ୍ବାଧୀନ ଓ ସଶକ୍ତ କରିବାର ପ୍ରୟାସ ହିଁ ତାଙ୍କ ସରକାରର ପ୍ରାଥମିକତା।

ସେ କହିଥିଲେ ଗଣତାନ୍ତ୍ରିକ ଅନୁଷ୍ଠାନରେ ମହିଳାଙ୍କ ପ୍ରତିନିଧିତ୍ୱ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତ ପରି ତୃଣମୂଳସ୍ତରରୁ ବିଧାନସଭା ଓ ସଂସଦ ପର୍ଯ୍ୟନ୍ତ ସବୁ ସ୍ତରରେ ମହିଳା ପ୍ରତିନିଧିତ୍ବ କରିବା ଉଚିତ। ଏହି ଉଦ୍ଦେଶ୍ୟ ହାସଲ କରିବା ପାଇଁ ଓଡ଼ିଶା ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ଆସନ ସଂରକ୍ଷଣ କରିଛି। ନୀତି ନିର୍ଦ୍ଧାରଣ ହେଉଥିବା ସମସ୍ତ ସଂସ୍ଥାରେ ମହିଳାଙ୍କ ସଂରକ୍ଷଣକୁ ସେ ସମର୍ଥନ କରନ୍ତି। ଦେଶର ପ୍ରଥମ ରାଜନୈତିକ ଦଳ ଭାବେ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରିଥିଲା। ମହିଳା ସଶକ୍ତୀକରଣର ପରିଚୟ ପାଲଟିଥିବା ମିଶନ୍ ଶକ୍ତିରେ ବର୍ତ୍ତମାନ ସାରା ରାଜ୍ୟରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି। ରାଜ୍ୟରେ ଘଟୁଥିବା ପରିବର୍ତ୍ତନର ପ୍ରତୀକ ହୋଇଛି ମିଶନ ଶକ୍ତି। ଓଡ଼ିଶା ବିକାଶର ବାର୍ତ୍ତାବହ ସାଜିଛନ୍ତି ମହିଳା। ମମତା ଯୋଜନା ଗର୍ଭବତୀଙ୍କୁ ଅସୁରକ୍ଷିତ ସମୟରେ ସହାୟତା କରୁଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସାହାଯ୍ୟ ଓ ସୁଦକ୍ଷା ଯୋଜନା ମାଧ୍ୟମରେ ଝିଅମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଛି। ସେ କହିଛନ୍ତି ଯେ ମହିଳାଙ୍କ ନାମରେ ଜମି ଅଧିକାର ଦଲିଲ ମଧ୍ୟ ଜାରି କରାଯାଇଛି ଏବଂ ଅଧିକ ସଂଖ୍ୟକ ଝିଅ ହଷ୍ଟେଲରେ ରହିବାରେ ଓଡ଼ିଶା ଦେଶରେ ସର୍ବାଗ୍ରେ ରହିଛି। ନାରୀ କହିଲେ ମୁଖ୍ୟତଃ ଶକ୍ତିକୁ ବୁଝାଏ। ସମଗ୍ର ବ୍ରହ୍ମାଣ୍ଡକୁ ପରିଚାଳିତ କରିବାର ଶକ୍ତିର ଭଣ୍ଡାର ହେଉଛି ନାରୀ। ଏମାନଙ୍କ ସ୍ପର୍ଶରେ ସବୁ କିଛି ପରିବର୍ତ୍ତନ ହୋଇପାରେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଇମ୍ସ ପ୍ରଭାବୀ ମହିଳାର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.