ବ୍ୟକ୍ତି ନିର୍ମାଣ ତଥା ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଜୀବନର ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ରୂପରେ ଉଚିତ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ ପ୍ରଣାମ ଜଣାଇଛନ୍ତି । ବ୍ୟକ୍ତି ନିର୍ମାଣ ତଥା ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଜ୍ଞାନର ଅନ୍ଧକାରରୁ ଆଲୋକର ମାର୍ଗରେ ପରିଚାଳିତ କରିବାରେ ଗୁରୁ ହିଁ ଶ୍ରେଷ୍ଠ ପଥପ୍ରଦର୍ଶକ ବୋଲି ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୂର୍ବ ଭାରତର ଉତ୍ପାଦନ ହବ୍‌ କରିବା ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ୧,୫୩୭ କୋଟି ଟଙ୍କା ପୁଞ୍ଜିନିବେଶରେ ଏହି ପ୍ରକଳ୍ପଗୁଡ଼ିକ ୩,୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସରକାରଙ୍କ ଦକ୍ଷ ନୀତି ପାଇଁ ଓଡ଼ିଶା ନିବେଶକମାନଙ୍କ ପ୍ରଥମ ପସନ୍ଦ ସାଜିଛି ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକି୍ରୟାକରଣ, ପ୍ଳାଷ୍ଟିକ, ଧାତବ, ସୌରଶକ୍ତି ଓ ବର୍ଜ୍ୟବସ୍ତୁ ପରିଚାଳନା ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରୁଥିବା ବିଭିନ୍ନ କ୍ଷେତ୍ରରେ ହେଉଥିବା ପୁଞ୍ଜିନିବେଶ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଭିଡ୍‌ ସମୟରେ ଶିଳ୍ପାନୁଷ୍ଠାନଗୁଡ଼ିକ କରିଥିବା ଗୁରୁତ୍ୱପୂର୍ଣ୍ଣ ସହାୟତା ନିମନ୍ତେ ଧନ୍ୟବାଦ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ରାଜ୍ୟରେ ନିବେଶକମାନଙ୍କ ପାଇଁ ଅବାଧ ଓ ସୁଗମ ବ୍ୟବସାୟିକ ପରିବେଶ ସକାଶେ ଉଦ୍ୟମ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଭିଡ୍‌ରେ ପ୍ରାଣ ହରାଇଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ଏଥି ପାଇଁ ୨.୫୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଓଡ଼ିଶା ଉପକୂଳସ୍ଥ ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ନୂତନ ପିଢ଼ିର ଆକାଶ(ଆକାଶ-ଏନ୍‌ଜି) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବାରୁ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଟୋକିଓ-୨୦୨୦ରେ ୪୯ କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଥିବାରୁ ମୀରାବାଈ ଚାନୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଐତିହାସିକ ସଫଳତା ଉତ୍ତରପିଢ଼ିର ପୁଅଝିଅଙ୍କୁ କ୍ରୀଡ଼ାରେ ଉତ୍କର୍ଷ ଆଣିବାକୁ ପ୍ରେରଣା ଯୋଗାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Comments are closed.