ଆଗାମୀ ଏକ ମାସ ଆମ ପାଇଁ ଆହ୍ବାନପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ତାଲାବନ୍ଦର ପ୍ରାୟ ଦୁଇ ମାସ ପରେ ବିମାନ ସେବା ଓ ରେଳଚଳାଚଳ ଆରମ୍ଭ ହୋଇଛି। ତେଣୁ କରୋନା ସଂକ୍ରମଣ ବଢିବାର ଅଧିକ ଆଶଙ୍କା ରହିଛି। ତେଣୁ ଆଗାମୀ ୧୫ ଦିନରୁ ପାଖାପାଖି ୧ ମାସ ପର୍ଯ୍ୟନ୍ତ ସମୟ ଆମ ପାଇଁ ଆହ୍ବାନପୂର୍ଣ୍ଣ ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨ ମାସ ଧରି ଆମେ ଲକ୍‌ଡାଉନ୍‌ରେ ରହିଆସୁଛେ । ଏହି ସମୟରେ କରୋନା ମୁକାବିଲା ଦିଗରେ ଆମେ ସାମାଜିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନେକ ଶିକ୍ଷା ପାଇଛୁ । ଏହି ଶିକ୍ଷା ଆଧାରରେ କରୋନା ମୁକାବିଲା ନେଇ ରଣନୀତିରେ ପରିବର୍ତ୍ତନର କରାଯିବ । ଏଥିସହିତ  ଅର୍ଥନୀତି ଓ ଜନଜୀବନ ଯେଉଁଭଳି ସ୍ୱାଭାବିକ ହେବ ସେ ସମ୍ପର୍କରେ ପଦକ୍ଷେପ ନିଆଯିବ ।  ୧୫ ଦିନ ଧରି ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି । ସେ କହିଛନ୍ତି ଯେ  ସାମାଜିକ ଦୂରତ୍ୱ ସାମାଜିକ ବାସନ୍ଦ ନୁହେଁ । ଏ ସମ୍ପର୍କରେ ସଚେତନତା ସୃଷ୍ଟି ସହ କଠୋର ପଦକ୍ଷେପ ମଧ୍ୟ ନିଆଯିବ ।  କରୋନା ଯୋଦ୍ଧା ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯିବ । କରୋନା ପରୀକ୍ଷଣରେ ଓଡ଼ିଶା ଦେଶରେ ଆଗୁଆ ରହିଛି। ଆଇସିଏମଆର୍ ମାର୍ଗଦର୍ଶିକାରେ  କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ରହିଛି । ଆବଶ୍ୟକ ସ୍ଥଳରେ କ୍ୱାରେଣ୍ଟାଇନ୍ ଅବଧି ଜିଲ୍ଲାପାଳ ବଢ଼ାଇ ପାରିବେ । ୯୫ ପ୍ରତିଶତ ପଜିଟିଭ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଏହା ଆମ ବଳିଷ୍ଠ ଭିତ୍ତିଭୂମି ଓ ସରପଞ୍ଚଙ୍କ ନେତୃତ୍ୱର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନୁରୂପ ଭାବେ କରୋନା ମୁକାବିଲାରେ ପୋଲିସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କରୋନା ମୁକାବିଲା ଏକ ଲମ୍ବା ଯୁଦ୍ଧ । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିବା ଲୋକଙ୍କୁ ସାର୍ଟିଫିକେଟ୍ କୋର୍ସ ଦିଆଯିବ । ଟ୍ରେନ୍‌ ଓ ବିମାନ ଚଳାଚଳ ପରେ ବଢ଼ିବ ଚ୍ୟାଲେଞ୍ଜ। ମାନବିକତାର ସହ ବୃତ୍ତିଗତ ଢାଞ୍ଚାରେ ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.