ବାତ୍ୟା ‘ଅମ୍ଫନ୍‍’ ପାଇଁ ପ୍ରସ୍ତୁତ – ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫନ୍‍’ର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲାର ଜିଲାପାଳମାନଙ୍କ ସହିତ ମଧ୍ୟ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଓଡ଼ିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିତ୍‍ଲି, ବୁଲବୁଲ, ଫାଇଲିନ୍‍, ହୁଡ୍‍ହୁଡ୍‍ ଆଦି ଅନେକବାତ୍ୟାର ସଫଳତାର ସହ ମୁକାବିଲା କରି ଆସିଛନ୍ତି। ତେଣୁ ଆତଙ୍କିତ ନ ହୋଇ ‘ଅମ୍ଫନ୍‍’ର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏନ୍‍ଡିଆର୍‍ଏଫ୍‍, ଓଡିଆର୍‍ଏଏଫ୍‍ ଏବଂ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ବିପଦ ଶଙ୍କୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବା ସହିତ ଏହି ସମୟରେ ମାଛ ଧରା କାର୍ୟ୍ୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର ବର୍ତ୍ତମାନ କୋଭିଡ୍‍-୧୯ ରୋଗ ନିୟମନ୍ତ୍ରଣରେ ସଫଳତାର ସହ କାମ କରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୃଣମୂଳସ୍ତର ପର୍ୟ୍ୟନ୍ତ ଟିମ୍‍ ଏବଂ ଓଡ଼ିଶାର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ୍‍ ତ୍ରିପାଠୀ କହିଛନ୍ତି ଯେ ‘ଅମ୍ଫନ୍‍’ର ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ୍‍ ସଚିବଙ୍କ ସହିତ ତାଙ୍କର ଆଜି ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ‘ଅମ୍ଫାନ’ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେହିପରି ଏହି ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲାରେ ଏକ ଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଚାଷୀମାନଙ୍କୁ ଏ ସମ୍ପର୍କରେ ବ୍ୟାପକ ଭାବରେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ବାତ୍ୟା ‘ଅମ୍ଫନ୍‍’ର ମୁକାବିଲା ପାଇଁ ୧୧ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଆଶ୍ରୟସ୍ଥଳ ଏବଂ ୭୦୦୦ ପକ୍କା ଘରକୁ ପ୍ରସ୍ତୁତ ରଖାଯାଇଛି। ଏହାସହିତ ୩ଟି ଏନ୍‍ଡିଆର୍‍ଏଫ୍‍, ୧୨ଟି ଓଡିଆର୍‍ଏଏଫ୍‍ ଟିମ୍‍ ଏବଂ ୩୫୫ ୟୁନିଟ୍‍ ଅଗ୍ନିଶମ ସେବା ବାହିନୀ ମୁତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି ଯେ ‘ଅମ୍ଫନ୍‍’ ପ୍ରଭାବରେ ମେ’୧୮ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ତେବେ ମେ’ ୧୯ ଓ ୨୦ ଦୁଇଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏହାସହିତ ପବନର ବେଗ ଘଣ୍ଟାକୁ ୯୫କିଲୋମିଟର ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି କୁହାଯାଇଛି। ଏହି ବାତ୍ୟାରେ ରାଜ୍ୟର ୧୨ଟି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଡାକ୍ତରଖାନା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନମାନଙ୍କରେ ବିଦ୍ୟୁତ୍‍ ସରୋବରାହ ନିରନ୍ତର ଜାରି ରଖାଯିବା, ସହରାଞ୍ଚଳଗୁଡ଼ିକରେ ଜଳ ଆବଦ୍ଧ ଭଳି ସମସ୍ୟାର ଦୂରୀକରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଭିଡିଓ କନ୍‍ଫରେନ୍‍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୁଲିସ ମହାନିର୍ଦେଶକ, ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ ଏବଂ ପ୍ରଭାବିତ ଜିଲାଗୁଡ଼ିକର ଜିଲାପାଳମାନେ ଉପସ୍ଥିତ ଥିଲେ।

Comments are closed.