ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ଆଦାନୀ-କିସ୍‍ର କଲେ ଉଦ୍‍ଘାଟନ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ମୟୁରଭଞ୍ଜ ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ବାରିପଦାର ବାଙ୍କିଶୋଳ ସ୍ଥିତ ଆଦାନୀ-କିସ୍‍ ଆବାସିକ ଜନଜାତି ବିଦ୍ୟାଳୟର ଉଦ୍‍ଘାଟନ କରିଛନ୍ତି। ଏହି ଉଦ୍‍ଘାଟନୀ ସମାରୋହରେ ସମ୍ମାନୀୟ ଅତିଥି ଭାବେ ଆଦାନୀ ଗ୍ରୁପ୍‍ର ସଭାପତି ଗୌତମ ଏସ୍‍ ଆଦାନୀ, ଚେୟାରପର୍ସନ ଡ. ପ୍ରୀତି. ଜି. ଆଦାନୀ, କରଣ ଗୌତମ ଆଦାନୀ(ସିଇଓ, ଆଦାନୀ ପୋର୍ଟସ ଏବଂ ଏସ୍‍ଇଜେଡ୍‍ ଲିମିଟେଡ଼୍‍ ତଥା ନିର୍ଦ୍ଦେଶକ, ଆଦାନୀ ଏୟାରପୋର୍ଟସ୍‍ ହୋଲଡିଂ ଲିମିଟେଡ୍‍) ଯୋଗ ଦେଇଥିଲେ। ଏହା ବ୍ୟତୀତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‍ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।

ଏହା ସହିତ ୮ଟି ବ୍ଲକର ୧୮ଟି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ, ୫ଟି ବ୍ଲକରେ ୫ଟି ହାଇଲେଭଲ୍‌ ସେତୁ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ନବନିର୍ମିତ ସାଇନ୍ସ ବ୍ଲକ୍, ଭାଲିଆଶୋଳ ଆଦର୍ଶ ବିଦ୍ୟାଳୟ, ସାନଞ୍ଜୟଧାନପୋଷୀ ଏବଂ ଲୁହାଶିଳାଠାରେ ଆଦର୍ଶ ବିଦ୍ୟାଳୟର ନବନିର୍ମିତ ୧୦୦ ସିଟ୍‌ ବିଶିଷ୍ଟ ଛାତ୍ରୀ ନିବାସ ଆଦିର ଉଦ୍‌ଘାଟନ କରିଛନ୍ତି। ଏହା ବ୍ୟତୀତ ୨୦୦ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

Comments are closed.