MEllora 950×100

ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ‘ଫିକି’ ସୁଯୋଗ ଦେଉ

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ -୨୦୨୨କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବ‌େ‌ନଶ୍ବର : ପୂର୍ବ ଭାରତରେ ଓଡ଼ିଶା ବ୍ୟବସାୟ, ବାଣିଜ୍ୟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ନିବେଶକଙ୍କ ପାଇଁ ଓଡ଼ିଶାକୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳ ଭାବେ ଗଢ଼ି ତୋଳିବାକୁ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ (ଫିକି) ପ୍ରୋତ୍ସାହିତ କରୁ। ବୁଧବାର ମେକ୍ ଇନ୍ ଓଡ଼ିଶା-୨୦୨୨ କନକ୍ଲେଭର ଅବ୍ୟବହିତ ପୂର୍ବରୁ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ତୃତୀୟ ସଂସ୍କରଣରେ ସହାୟତା ପାଇଁ ଫିକି ଏବଂ ଏହାର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ଫିକି ସହିତ ଆମର ଦୃଢ଼ ସହଭାଗିତା ରହିଛି। ଏହି କନକ୍ଲେଭକୁ ସଫଳ କରିବା ଏବଂ ନିକଟ ଭବିଷ୍ୟତରେ ଓଡ଼ିଶାକୁ ନିବେଶ ଓ ସମୃଦ୍ଧି ଆଣିବା ଦିଗରେ ମିଳିତ କାର୍ଯ୍ୟ ଜାରି ରଖିବା ଦିଗରେ ଫିକିର ସହଯୋଗ ଜରୁରୀ। ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଫିକି-ଏଫଏଲଓ’ ସହିତ ମିଶନ ଶକ୍ତିର ଯୋଗଦାନ ଅତ୍ୟନ୍ତ ହୃହୟସ୍ପର୍ଶୀ। ମିଶନ୍ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରି ଆଦର୍ଶ ଉଦ୍ୟୋଗୀ ଏବଂ ନେତୃତ୍ବ ସୃଷ୍ଟି କରିବା ଆମର ଲକ୍ଷ୍ୟ। ତୃଣମୂଳସ୍ତରରେ ଔଦ୍ୟୋଗିକ ଦୃଶ୍ୟପଟ୍ଟକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। ଏହାସହ ବିଶ୍ବ ବଜାର (ଗ୍ଲୋବାଲ ମାର୍କେଟ୍)ରେ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିହାତି ଆବଶ୍ୟକ। ଏଥିନିମନ୍ତେ ମିଶନ୍ ଶକ୍ତି ବିଭାଗ ସହିତ ଫିକି ଏଫଏଲଓ ଟିମ୍ କାର୍ଯ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ।
ଫିକିର ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ର କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ‘ଏକ୍ସପୋ’ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାପରେ ନୃତ୍ୟ ଓ ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅତିଥିଙ୍କ ଗହଣରେ ବସି ଦେଖିଥିଲେ।

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ, ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତରାଜ୍ୟରେ ପରିଗଣିତ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କୃଷି ଓ ଦକ୍ଷତା ବିକାଶ ପରେ ଏବେ ଶିଳ୍ପ କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଆସନ୍ତାକାଲି ଦେଶ ବିଦେଶରୁ ଆସିଥିବା ଶିଳ୍ପ ମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ, ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣ ଓଡ଼ିଶା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ। ଏଥିରେ ଜାପାନ, ନରୱେ, ଜର୍ମାନୀ, ଇସ୍ରାଏଲ, ନେପାଳ, ଅଷ୍ଟ୍ରେଲିଆ ସମେତ ୧୧ଟି ଦେଶର ନିବେଶକ ଅଂଶଗ୍ରହଣ କରି ସାରିଲେଣି। ଆସନ୍ତାକାଲି ଘୋଷଣା ହେବାକୁ ଥିବା ଶିଳ୍ପନୀତିରେ ନିବେଶକଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଅଦ୍ୟାବଧି ୧୧ହଜାରରୁ ଊର୍ଦ୍ଧ୍ବ ଶିଳ୍ପ ସଂସ୍ଥା ଏବଂ ଉଦ୍ୟୋଗୀ ପଞ୍ଜୀକରଣ କରିଛନ୍ତି। ଚଳିତ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଆଗାମୀ ନୂତନ ଓଡ଼ିଶା ନିର୍ମାଣରେ ବିଶେଷ ସହାୟକ ହେବ। ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟସ୍ତରର ୫୦ ଜଣ ବିଶି‌ଷ୍ଟ ଅତିଥି ଆସିଛନ୍ତି। କାର୍ଯ୍ୟକ୍ରମରେ ‘ଫିକି’ର ସଭାପତି ଶୁଭ୍ରକାନ୍ତ ପଣ୍ଡାଙ୍କ ସହିତ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ହିରୋସୀ ସୂଜୁକୀ, ନରୱେ ରାଷ୍ଟ୍ରଦୂତ ହାଂସ ଜାକବ ଫ୍ରାଏଡ଼ନଲୁଣ୍ଡ ଓ ନେପାଳ ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.