ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫ହଜାର ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା’ ପ୍ରଦାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪ ହଜାର ୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫ହଜାର ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା’ ପ୍ରଦାନ କରିଛନ୍ତି। କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ”ମୁଁ ଜାଣେ କରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି। ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି। ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି। ଆପଣଙ୍କ ସାଥିରେ ସରକାର ଅଛନ୍ତି। ଆପଣଙ୍କ କଲ୍ଯାଣ ପାଇଁ ସରକାର କାମ କରୁଛି।” ରାଜ୍ୟରେ ସମୁଦାୟ ୧୬୭୯ ଟି ଆପଦଗ୍ରସ୍ତ ଆଦିମ ଜନଜାତି ଗାଁ ରହିଛି। କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ, ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟୀକାକରଣକୁ ପ୍ରାଥମିକତା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନାହିଁ ବୋଲି ଜଣାପଡିଛି।

କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୧୬୭୯ଟି ପିଭିଟିଜି ଗାଁ ରହିଛି। ଏହି ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନଥିବା ଜଣାପଡିଛି। ପିଭିଟିଜି ଗାଁମାନଙ୍କରେ ୧୮ ଟି ଆମ୍ବୁଲାନ୍ସ ସହିତ କୋଭିଡ ପରିଚାଳନାକୁ ତ୍ୱରାନ୍ୱିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ଦ୍ଵାରା ଜନଜାତି ସମୁଦାୟଙ୍କ ଆର୍ଥିକ, ସାମାଜିକ ବିକାଶ ହେବା ସହିତ ସେମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ ବୋଲି କହିଥିଲେ। ଚିତ୍ରକୋଣ୍ଡା ଓ କରଞ୍ଜିଆର ବିଧାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ ପିଭିଟିଜି ପରିବାର ସହିତ ଆଲୋଚନା କରିଥିଲେ। ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେ ଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କ ଠାରୁ ଉତ୍ତମ ସେବା ପାଉଛନ୍ତି ବୋଲି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଟିକା ନେଇଛନ୍ତି କି ନାହିଁ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଟିକା ନେଇଛନ୍ତି ବୋଲି କହିଥିଲେ।

Comments are closed.