ମିଶନ ଶକ୍ତି ମାଆମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଆ ମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନଙ୍କ ପାଇଁ ଶନିବାର ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ଦିଆଯିବ । ସମସ୍ତଙ୍କୁ ମଧ୍ୟ ପରିଚୟ ପତ୍ର ଯୋଗାଇ ଦିଆଯିବ । ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ମଧ୍ୟ ଯୋଗାଇ ଦିଆଯିବ । ସବୁ ସିଆରପି-ସିଏମ ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ସବୁ ସିଆରପି-ସିଏମମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ। ଟେଲିଫୋନ ଭତ୍ତା ବାବଦରେ ସିଆରପି-ସିଏମ ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ। ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ।

ଏହି ପ୍ୟାକେଜକୁ ତୁରନ୍ତ କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଆଗକୁ ନେବାରେ ପଞ୍ଚାୟତ ସ୍ତରରେ କାମ କରୁଥିବା ଏହି ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରୂପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି ।

Comments are closed.