ଗୁଣାତ୍ମକ ଶିକ୍ଷାର ନେତୃତ୍ବ ନେଉ ଉତ୍କଳ : ରାଷ୍ଟ୍ରପତି

ଦାନପାଣ୍ଠି ଗଠନ ସହ ପୁରାତନ ଛାତ୍ର ଜ୍ଞାନ ବାଣ୍ଟନ୍ତୁ, ଶିକ୍ଷାକୁ କାମରେ ଲଗାଉଥିବା ଲୋକ ହିଁ ପ୍ରକୃତ ଜ୍ଞାନୀ

ଭୁବନେଶ୍ବର : ଓଡ଼ିଶା ଏକ ମହାନ୍ ରାଜ୍ୟ। ଏହି ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିବର୍ତ୍ତିତ ହୋଇଥିଲେ। ଏହି ମାଟିରେ ଜନ୍ମନେବା ଗୌରବର ବିଷୟ। ଏପରି ଏକ ରାଜ୍ୟରେ ଆଜକୁ ୭୫ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟ କ୍ରମାଗତ ଭାବେ ବିଶ୍ବବାସୀଙ୍କୁ ଦକ୍ଷ ମାନବସମ୍ବଳ ପ୍ରଦାନ କରିଆସୁଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହା ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଚାଲିଛି। ସଂପ୍ରତି ସମଗ୍ର ବିଶ୍ବ ଭାରତର ଅତିଶୋଭା ତଥା ଗୁଣାତ୍ମକ ଶିକ୍ଷା ପଦ୍ଧତ୍ତିକୁ ଅନୁସରଣ କରିବା ଆରମ୍ଭ କରିଛି। ଏଥିରେ ଉତ୍କଳ ବିଶ୍ବବିଦ୍ୟାଳୟ ନେତୃତ୍ବ ନେଉ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ବାନ ଦେଇଛନ୍ତି।
ରବିବାର ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମର ସ୍ବତନ୍ତ୍ର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଓଡ଼ିଶାର ଅନ୍ୟ ବରପୁତ୍ରଙ୍କୁ ମନେ ପକାଇବା ସହ ନୂଆ ଓଡ଼ିଶା ଗଠନ​‌ରେ ଏମାନେ ମୁଖ୍ୟ ପୁରୋଧା ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଉତ୍କଳ ବିଶ୍ବବିଦ୍ୟାଳୟ ଅନେକ ଗରିମା ବହନ କରେ। ଏକ ଆମ ଦେଶର ଏକ ଉତ୍କର୍ଷ ଶିକ୍ଷାକେନ୍ଦ୍ର ହୋଇପାରିବ। ଏଠାରୁ ପାଠ ପଢ଼ି କର୍ମମୟଜୀବନରେ ପାଦ ଥାପୁଥିବା ଛାତ୍ରଛାତ୍ରୀ ସମଗ୍ର ବିଶ୍ବ ପାଇଁ ସମସ୍ୟା ସମାଧାନର ମାର୍ଗଦର୍ଶକ ହୋଇପାରିବେ। ଶ୍ରୀ କୋବିନ୍ଦ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ଏପରି ଗବେଷଣାରେ ମନୋନିବେଶ କରନ୍ତୁ ଯାହା ସମାଜରେ ଏପରି ଏକ ଜ୍ଞାନଧାରା ସୃଷ୍ଟି କରିବ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦରିଦ୍ର, ନିଷ୍ପେଷିତଙ୍କ ସଶକ୍ତୀକରଣର ଉଦ୍ଦେଶ୍ୟକୁ ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସମ୍ବେଦଶୀଳ ରହିବା ଆବଶ୍ୟକ। ପରିବେଶ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେବା ଜରୁରୀ। ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଏହି ବିଶ୍ବବିଦ୍ୟାଳୟକୁ ଦେଶର ଶୀର୍ଷ ସ୍ଥାନରେ ଦେଖିବା ପାଇଁ ମୁଁ ଚାହୁଁଛି ବୋଲି ସେ କହିଥିଲେ।
ରାଷ୍ଟ୍ରପତି କହିଥିଲେ ଯେ ସାମାଜିକ ସଶକ୍ତୀକରଣ ପାଇଁ ଶିକ୍ଷା ହିଁ ଶ୍ରେଷ୍ଠ ମାଧ୍ୟମ। ଜଣେ ବହୁତ କିଛି ପଠନ କରି ମଧ୍ୟ ଅବୋଧ ହୋଇ ରହିଥାଏ। କିନ୍ତୁ ପ୍ରକୃତ ଜ୍ଞାନୀ ସିଏ, ଯିଏ ନିଜ ଶିକ୍ଷାକୁ କାମରେ ଲଗାଇଥାଏ। ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଗତ ୭୫ ବର୍ଷ ଧରି ଏଠାରୁ ବାହାରିଥିବା ଅନେକ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ କ୍ଷେତ୍ରରେ ରହି ଦେଶ ଗଠନରେ ନିଜକୁ ନିୟୋଜିତ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ନେଇ ଏହାର ପ୍ରତିଷ୍ଠାତା ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ କରିବା ପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସମୟ ଆସିଛି।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଥିଲେ, ଏହି ମହାନ୍ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀଣ ବିକାଶ ପାଇଁ ପୂର୍ବତନ ଛାତ୍ରଛାତ୍ରୀ ବୃତ୍ତିଦାନ ପାଣ୍ଠି(ଏଣ୍ଡାଓମେଣ୍ଟ ଫଣ୍ଡ) ଗଠନ କରିବା ସହ ଅନ୍ତତଃ ବର୍ଷରେ ଥରୁଟିଏ ଏକାଠି ହୋଇ ବିଶ୍ବବିଦ୍ୟାଳୟ ପ୍ରତି ଥିବା ନିଜ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିବା ଉଚିତ। ଏହାର ପ୍ରଭାବ ସୁଦୂର ପ୍ରସାରୀ ହେବ। ବର୍ତ୍ତମାନ ସମୟର ଏହା ବଡ଼ ଆବଶ୍ୟକତା; ଯାହା ବିଶେଷ କଷ୍ଟକର ନୁହେଁ। ଉଦାହରଣ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀମାନେ ଏପରି ଏକ ପାଣ୍ଠି ଗଠନ କରି କିଛିମାସ ଭିତରେ ୨୫୦ କୋଟି ଟଙ୍କା ଯୋଗାଡ଼ କରିପାରିଥିଲେ। ବିକାଶ ପାଇଁ ଏହି ଅର୍ଥ ଉପଯୋଗ ହେବ। କେବଳ ଅର୍ଥ ନୁହେଁ; ସେମାନେ ନିଜର ଜ୍ଞାନ ଓ ସମୟ ଏଠାକାର ଛାତ୍ରଛାତ୍ରୀଙ୍କୁ ଦେଇପାରିବ। ଏହା ବହୁତ ଶୁଭ ଫଳ ପ୍ରଦାନ କରିବ ବୋଲି ରାଷ୍ଟ୍ରପତି କହିଥିଲେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ, ଏକ ସୁନ୍ଦର ବିଶ୍ବ ଗଠନ କରିବା ଦିଗରେ ବିଶ୍ବବିଦ୍ୟାଳୟର ଭୂମିକା ଅବଲୋକନ କରିବାର ଏହା ହେଉଛି ଉପଯୁକ୍ତ ସମୟ। ବିଶ୍ବବିଦ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି ଜ୍ଞାନ ଓ ମତବିନିମୟ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳକୁ ଶିକ୍ଷାର ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ମିଳିତ ପ୍ରୟାସ ଆବଶ୍ୟକ। ରାଜ୍ୟର ଶିକ୍ଷା ସମାଜକୁ ଉତ୍କଳ ବିଶ୍ବବିଦ୍ୟାଳୟ ନେତୃତ୍ବ ପ୍ରଦାନ କରୁଛି।

Pic. Courtesy : PIB

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଦାରିଦ୍ର୍ୟରୁ ସମ୍ପନ୍ନତାକୁ ଯିବାର ଚାବିକାଠି ଶିକ୍ଷାରେ ଅଛି। ତେଣୁ ଆଜିର ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାକୁ ଉଚ୍ଚଶିକ୍ଷିତ କରିବାରେ ଏକ ପ୍ରୟୋଗଶାଳା ହେଉ। ମଞ୍ଚରେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦଙ୍କ ସମେତ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ, ପିଜି କାଉସିଲ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ରାଷ୍ଟ୍ରପତି ରୁଷା ଭବନର ଶିଳାନ୍ୟାସ କରିବା ସହ ପ୍ଲାଟିନମ୍ ଜୁବୁଲିର ସ୍ମରଣିକା ଉନ୍ମୋଚନ କରିଥିଲେ।

Comments are closed.