ସ୍ୱାମୀଙ୍କ ମୃତ୍ୟୁପରେ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଚିବାଳୟ ଧାଇଁ ନିରାଶ, ଲାଞ୍ଚ ନେଇ ଧରାଛୁଆଁ ଦେଉନାହିଁ କିରାଣୀ

ବୌଦ୍ଧ : ସରକାରୀ କର୍ମଚାରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଦୀର୍ଘବର୍ଷ ସରକାରୀ ସେବା କରିବାରେ ଅନେକ କର୍ମଚାରୀ ନିଜର ପରିବାର ଦାୟିତ୍ୱ ମଧ୍ୟରେ ଠିକ୍‌ରେ ତୁଲାଇ ପାରିନଥାନ୍ତି। ତେଣୁ ସରକାରୀ କର୍ମଚାରୀମାନଙ୍କ ପରିବାରକୁ ଆର୍ଥିକ ଓ ସାମାଜିକ ସୂରକ୍ଷା ଯୋଗାଇଦେବାର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ଥାଏ। ଜଣେ କର୍ମଚାରୀ ସରକାରୀ ଚାକିରୀରେ ଥାଇ ମୃତ୍ୟୁବରଣ କଲେ ତାହାର ପରିବାରକୁ ଥଇଥାନ ଯୋଜନାରେ ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହୋଇଥାଏ। ଏଥିପାଇଁ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ପେନଶନ ଓ ଥଇଥାନ ଯୋଜନାରେ ଚାକିରୀ ଯୋଗାଇ ଦେବାକୁ ସରକାର ମଧ୍ୟ ଗୁରୁତ୍ୱ ପ୍ରଦାନ କରି କଡାକଡି ନିୟମ ଲାଗୁ କରିଛନ୍ତି।  କିନ୍ତୁ ବୌଦ୍ଧଜିଲ୍ଳାର ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀ ଓ ଝିଅ ସରକାରୀ ସୁବିଧା ଓ ନିଜର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଚିବାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ଶେଷରେ ଜିଲ୍ଲାର ଜଣେ କିରାଣୀଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହୋଇ ପୁଣିଥରେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ବୌଦ୍ଧଜିଲ୍ଳା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡଭେଲିପଦର ଗ୍ରାମର ହାଡିବନ୍ଧୁ ସାହୁ ଗ୍ରାମସେବକ ଭାବରେ କାର୍ଯ୍ୟ କରୁଥିବାବେଳେ ଗତ ୨୦୧୬ ମସିହା ମାର୍ଚ୍ଚ ୨୭ ତାରିଖରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହାଡିବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀ ଶାନ୍ତିଲତା ସ୍ୱାମୀଙ୍କ ଗ୍ରାଚୁଇଟି ଟଙ୍କା,ରେଗୁଲାର ପେନସନ ଓ ଥଇଥାନ ଯୋଜନାରେ ସରକାରୀ ଯୋଗାଇଦେବାକୁ ବାରମ୍ବାର ହରଭଙ୍ଗା ବିଡିଓ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ସଚିବାଳୟକୁ ଧାଇଁ ଧାଇଁ ଶେଷରେ ନିରାଶ ହୋଇଥିଲେ। ଶେଷରେ ଜିଲ୍ଳା ପଞ୍ଚାୟତ କାର୍ଯ୍ୟାଳୟର କିରାଣୀ ରାଜଗୋପାଳ ମହାପାତ୍ର ଓ ପିଅନ ଜୟଦେବ ସାହୁ ଏହି ଅସହାୟ ପରିବାରର ସମସ୍ତ କାମ କରାଇଦେବାର ପ୍ରତିଶୃତି ଦେଇ ମୃତ ହାଡିବନ୍ଧୁଙ୍କ ପୂଅ ନୟନ ବାଘଙ୍କ ନିକଟରୁ ୧୯ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏହାବ୍ୟତୀତ ଅରୁଆ ଚାଉଳ ଓ ଦୁଇଗୋଟି ଗଂଜା କୁକୁଡା ମଧ୍ୟ ଲାଞ୍ଚ ଆକାରରେ ନେଇଥିଲେ। ଏହାପରେ ଚାକିରୀ ପାଇଁ ୩ ମାର୍କ କମିଗଲା କହି ପୁଣିଥରେ ଅତିରିକ୍ତ ଜିଲ୍ଳାପାଳ ଓ ଜିଲ୍ଳା ପଞ୍ଚାୟତ ଅଧିକାରୀଙ୍କୁ ଦେବାକୁ ପଡିବ କହି ପିଅନ ଜୟଦେବ ୫୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଶାନ୍ତିଲତା ଏତେ ଟଙ୍କା ଦେବାକୁ ତାଙ୍କର ସାମର୍ଥ୍ୟ ନଥିବା ଜଣାଇଥିଲେ। କାମ ନହେବାରୁ ଟଙ୍କା ଫେରାଇଦେବାକୁ ଶାନ୍ତିଲତା ଉକ୍ତ ପିଅନ ଓ କିରାଣୀଙ୍କୁ କହିବା ପରେ ସେମାନେ ଟଙ୍କା ନଫେରାଇବାରୁ ଶେଷରେ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଝିଅର ବାହାଘର ମାର୍ଚ୍ଚ ୮ ତାରିଖରେ ଥିବାରୁ ସରକାର ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରିବାକୁ ଏହି ଅସହାୟ ପରିବାର ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟଯେ, ଗତ ଏକବର୍ଷ ତଳେ ଏହି ଅସହାୟ ପରିବାର ବୀମା ଟଙ୍କା ନପାଇ ବିଧାନସଭା ଆଗରେ ଧାରଣାଦେବାକୁ ଯାଉଥିବାବେଳେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଶେଷରେ ପୁଲିସ ସହାୟତାରେ ସଚ୍ଚିବାଳୟର ଉଚ୍ଚ ପଦାଧିକାରୀଙ୍କ ହସ୍ତକ୍ଷେପ ପରେ ୧ ଲକ୍ଷ ୫୭ ହଜାର ଟଙ୍କା ବୀମା ରାଶି ମିଳିଥିଲା। ବର୍ତମାନ ଆଉ ଭୁବନେଶ୍ୱର ଯାଇ ଗୁହାରି କରିବାକୁ ସମ୍ବଳ ନଥିବାରୁ ସରକାର ତାଙ୍କ ସ୍ୱାମୀର ମୃତ୍ୟୁ ପରେ ଥଇଥାନ ଯୋଜନାରେ ପୁଅକୁ ଚାକିରୀ ସହ ପରିବାରକୁ ରେଗୁଲାର ପେନସନ ଓ ଗ୍ରାଚୁଇଟି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ତୁରନ୍ତ ଟଙ୍କା ନମିଳିଲେ ଝିଅର ବାହାଘର ଖର୍ଚ୍ଚ ଉଠାଇବା ସମ୍ଭବ ହୋଇପାରିବନାହିଁ ବୋଲି ପରିବାର ଆଶା ଆଶଙ୍କାରେ ରହିଥିବାବେଳେ  ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବ୍ୟସ୍ତ ଥିବା ଯୋଗୁଁ ଏହି ପରିବାରର ସମସ୍ୟା ସଂପର୍କରେ କାଲି ବୁଝିବାକୁ ପ୍ରତିଶୃତି ଦେଇଥିବା ଶାନ୍ତିଲତା ପ୍ରକାଶ କରିଛନ୍ତି।

Comments are closed.