ଡିସେମ୍ବର ୨ରୁ ଭୁବନେଶ୍ୱରରେ ଆୟୋଜିତ ହେବ ବାୟୁ ସମ୍ମିଳନୀ

ଭୁବନେଶ୍ୱର: ପ୍ରକୃତିରେ ସବୁ କିଛିି ପାଞ୍ଚଟି ଉପାଦାନ ବା ପଞ୍ଚ ମହାଭୂତ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ। ଏଥି ମଧ୍ୟରୁ ଜୀବଜଗତର ଦୀର୍ଘ ସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରୀ। ଏହି ବାର୍ତ୍ତା ପ୍ରଚାର ପ୍ରସାର ନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ହେବ ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ। ଆସନ୍ତା ଡିସେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ଆୟୋଜିତ ହେବ। ‘ସୁମଙ୍ଗଳମ ପଞ୍ଚମହାଭୂତ ସମ୍ମିଳନୀ ଶୃଙ୍ଖଳା’ର ଅଂଶ ସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ବିଭିନ୍ନ ବାୟୁ ଗୁଣବତ୍ତା ପ୍ରସଙ୍ଗରେ ଆଲୋଚନା ହେବ।
ଏହି ତିନି ଦିନିଆ ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋୖବେ, କଟକ ସାଂସଦ ଭତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ।
ଏହି ସମ୍ମିଳନୀରେ ୫୦୦ରୁ ଅଧିକ ବିଶେଷଜ୍ଞ, ଛାତ୍ରଛାତ୍ରୀ, ଶିକ୍ଷାବିତ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରତିନିଧି, ପୌରପାଳିକା ଆୟୁକ୍ତ,ରାଜ୍ୟ ପରିବେଶ ସଚିବଗଣ, ବୈଜ୍ଞାନିକ, ଇଂଜିନିୟର ପ୍ରମୁଖ ଅଂଶଗ୍ରହଣ କରିବେ।ଏହି ଲକ୍ଷ୍ୟ ନେଇ ଡିସେମ୍ବର ୨ରେ ଯୁବପିଢିଙ୍କୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ। ଏଥିରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ମାନବ ସ୍ୱାସ୍ଥ୍ୟ, ଐତିହ୍ୟ ଅଧ୍ୟୟନ, କୃଷିପ୍ରସଙ୍ଗ, ପ୍ରଶମନ ପଦକ୍ଷେପ ଆଦି ଉପରେ ବିଚାର ବିମର୍ଶ କରାଯିବ। ଏହି ଅବସରରେ ବାୟୁ ଗୁଣବତ୍ତା, ପ୍ରାକୃତିକ ବିକଳ୍ପ ଏବଂ ଓଡ଼ିଶାଏ ଐତିହ୍ୟ ଆଦି ବିଷୟ ପ୍ରଦର୍ଶିତ କରୁଥିବା ଏକ ଜଣ ସଚେତନତା ପ୍ରଦର୍ଶନୀ ଆୟୋଜନ କରାଯିବ।
ଏହି ସମ୍ମିଳନୀରେ ୯ଟି ସହରକୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ସହ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଅର୍ଥରାଶି ଦିଆଯିବ।
Comments are closed.