ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ : ଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ବ

ଭୁବନେଶ୍ୱର : ଓଡ଼ିଆ ଭାଷାକୁ ନେଇ କେବଳ ଗର୍ବ କଲେ ହେବ ନାହିଁ ଏହାର ବହୁଳ ବ୍ୟବହାର ଉପରେ ଆମକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ୭ମ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଓ ‘ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର’ର ମିଳିତ ସହଯୋଗରେ ସଂସ୍କୃତି ଭବନରେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍‌ଘାଟକଭାବେ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟକ ଭାବେ ‌ଯୋଗ ଦେଇ ଭାଷାର ବହୁ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଡ. ସାତକଡ଼ି ହୋତା ଯୋଗଦେଇ କହିଲେ ଯେ, ଆମ ଭାଷା ଅତ୍ୟନ୍ତ ସମୃଦ୍ଧ। ଅନ୍ୟତମ ଅତିଥି ସାହିତ୍ୟିକ ଦାଶ ବେନହୁର ଯୋଗଦେଇ କହିଲେ ଯେ, ଆମେ ଆମର ମାତୃଭାଷାକୁ ଗୁରୁତ୍ବ ଦେବା ସହିତ ବହୁଭାଷୀ ହେବା ଉଚିତ୍‌। ଏହା ସହ ନିଜ ମାତୃଭାଷାରେ ଦକ୍ଷ ହେବା ମଧ୍ୟ ଆବଶ୍ୟକ। ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ ସଭାପତିତ୍ବ କରିଥିଲେ। ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ପ୍ରଫେସର ବସନ୍ତ ପଣ୍ଡା ଯୋଗଦେଇ ଭାଷାର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମତ ଦେଇଥିଲେ। ଏହି ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ ୱେବସାଇଟ୍‌କୁ ବିଭାଗୀୟ ମନ୍ତ୍ରୀ ଭର୍ଚୁଆଲରେ ଉନ୍ମୋଚନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦେଶିକା ଡ. ଭାଗ୍ୟଲିପି ମଲ୍ଲ ସ୍ବାଗତ ଭାଷଣ ଦେଇଥିବାବେଳେ ତତ୍ତ୍ବାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.