ଇଭିଏମ ମେସିନ ଭାଙ୍ଗି ଭୋଟ ଟେମ୍ପରିଙ୍ଗ ହୋଇଥିବା ଅଭିଯୋଗ

କାଲିମେଳା : ମାଲକନାଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମପିଭି-୬୫ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ବୁଥ ନଂ ୨୫୪ରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ୨୫୪ବୁଥର ଭୋଟ କେନ୍ଦ୍ରରେ ନିୟୋଜିତ ଥିବା ପୁଲିଙ୍ଗ କର୍ମଚାରୀ ମାନେ ଇଭିଏମ ମେସିନ ଭାଙ୍ଗି ଭୋଟ ଟେମ୍ପରିଙ୍ଗ କରିଥିବା ଏମପିଭି-୬୫ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମର ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ୭ଟାରୁ ଏମପିଭି-୬୫ ବିଦ୍ୟାଳୟରେ ବୁଥ ନଂ-୨୫୩ ଏବଂ ବୁଥ ନଂ-୨୫୪ଦୁଇଟି ବୁଥରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ବୁଥ ନଂ-୨୫୪ରେ ୮୨୪ ଜଣ ଭୋଟରଙ୍କ ମଧ୍ୟରୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ମୋଟ ୬୫୪ ଜଣ ଭୋଟର ମତଦାନ ସାବ୍ୟସ୍ଥ କରିଥିଲେ। ଏହି ଭୋଟ କେନ୍ଦ୍ରରେ ମତଦାନକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରିଜାଇଡିଂ ଅଫିସର ଭାବେ କୁର୍ମାନୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ନାୟକ, ଫାଷ୍ଟ ପୁଲିଙ୍ଗ ଅଫିସର ଭାବେ କ୍ରୀଡା ବିଭାଗର କନିଷ୍ଠ ଯନ୍ତ୍ରୀ ସୁର୍ଯ୍ୟାନନ୍ଦ ପ୍ରଧାନ, ଦ୍ୱିତୀୟ ପୁଲିଙ୍ଗ ଅଧିକାରୀ ଶିକ୍ଷକ ଜୟନ୍ତ ପୋଇ, ତୃତୀୟ ପୁଲିଙ୍ଗ ଅଧିକାରୀ ରବିନାରାୟଣ ବରାଳ, ୪ର୍ଥ ପୁଲିଙ୍ଗ ଅଧିକାରୀ ସୁଧାଂଶୁ ଶେଖର ମହାନ୍ତି, ୫ମ ପୁଲିଙ୍ଗ ଅଧିକାରୀ ପି.ଶ୍ରୀନିବାସ ମୁର୍ତି ସମେତ ବୁଥର ସୁରକ୍ଷା ଦାଇତ୍ୱରେ ପୁଲିସ ମାଥିଲି ଥାନାର କର୍ମଚାରୀ ଏସ ନାୟକ ପ୍ରମୁଖ ମୁତୟନ ରହିଥିଲେ। ଏମପିଭି-୬୫ ଗ୍ରାମର ସଭାପତି ସିବପଦ ରାୟ, ରୁଶାର ସରଦାର, ହିରା ଗୋଲଦାର, ତ୍ରିପିପ୍ତ ସରକାର, ବିସ୍ୱଜିତ ସରଦାର, ବିପୁଲ ଚକ୍ରବର୍ତି ଏବଂ ଅନ୍ୟ ଗ୍ରାମବାସି ମାନେଅଭିଯୋଗ କରିଛନ୍ତି ଯେ ଅପରାହ୍ନ ୪ଟା ସମୟରେ ମତଦାନ ସରିବା ପରେ ବୁଥରେ ଥିବା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଏଜେଣ୍ଟ ମାନଙ୍କୁ ପୁଲିଙ୍ଗ ପାର୍ଟି ଏବଂ ପ୍ରିଜାଇଡିଂ ଅଫିସର ମତଦାନ କେନ୍ଦ୍ରରୁ ବାହାର କରିଦେଇଥିଲେ। ଆମେ ଇଭିଏମ ସିଲ କରିବୁ ତମର କିଛି କାମ ନାହିଁ ବୋଲି କହିଥିଲେ। ପରେ କବାଟ ବନ୍ଦ କରି ବୁଥ କେନ୍ଦ୍ର ମଧ୍ୟରେ ଇଭିଏମ ମେସିନ ଖୋଲି ଇଭିଏମ ମେସିନରେ ଥିବା ବିଜେପି ଦଳର ଚିହ୍ନ ଥିବା ଚିରକୁଟକୁ ବାହାର କରି ଅନ୍ୟ ରାଜନୈତିକ ଦଳର ଚିହ୍ନ ଥିବା କାଗଜକୁ ଭର୍ତ୍ତି କରୁଥିବା ନେଇ କିଛି ବ୍ୟକ୍ତି ଦେଖିବାପରେ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ସୂଚନା ପାଇ ଗ୍ରାମବାସୀ ଉତ୍ତେଜିତ ହୋଇ ଭୋଟ କେନ୍ଦ୍ରରେ ପହଞ୍ଚି ହୋ ହାଲ୍ଲା କରିବା ସହିତ ପୁଲିଙ୍ଗ ଦଳକୁ ଅଟକ ରଖି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।ପୁଲିସ ପହଞ୍ଚିବା ବେଳକୁ ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ବୁଥରେ ଦୀର୍ଘଘଣ୍ଟା ଧରି ଉତ୍ତେଜନା ଜାରି ରହିଥିଲା। ଏକ ଘଣ୍ଟା ପରେ ଏମଭି-୭୯ ଥାନା ଅଧିକାରୀ ମମତା ପାଣିଗ୍ରାହିଙ୍କ ସହ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଲୋକେ ଅତ୍ୟଧିକ ପାଟିତୁଣ୍ଡ କରିବା ସହିତ ଏହି ବୁଥରେ ପୁର୍ନବାର ମତଦାନ କରିବାକୁ ଦାବି କରିଥିଲେ। ଏଥିସହ ପୁଲିଙ୍ଗି ଦାଇତ୍ୱରେ ଥିବା ଅଧିକାରୀ ମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଛନ୍ତି। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ବିଏସଏଫ ଫୋର୍ସ ମୁତୟନ କରାଯାଇଛି। ଉକ୍ତ ବୁଥରେ ଥିବା ଇଭିଏମ ମେସିନ ଗୁଡିକ ଭଗ୍ନ ଅବସ୍ଥାରେ ପଡିଥିବା ସହ ଦଳୀୟ ଚିହ୍ନ ଥିବା ତଥା ଇଭିଏମରେ ଥିବା ଚିରକୁଟ ଗୁଡିକ ଉକ୍ତ ଗୃହ ମଧ୍ୟରେ ବିଛେଇ ହୋଇ ପଡିଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ବୁଥରେ ଇଭିଏମ ମେସିନ କାହିଁକି ଖୋଲାଗଲା ଏବଂ ଇଭିଏମ ମେସିନ କିପରି ଭାଙ୍ଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

Comments are closed.