ପ୍ରଦୂଷଣ କମ୍ କରିବ ‘ସିଟି ଟ୍ରି’

ଗବେଷକଙ୍କ ଚେଷ୍ଟାରେ ଏବେ ସ୍ମଗ୍‌ ଟାୱାର୍ ପ୍ରଦୂଷଣର ସ୍ତରକୁ କମ୍ କରୁଛି। ବିଶ୍ବର କେତୋଟି ରାଷ୍ଟ୍ରରେ ଏବେ ଏହା କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଲଣ୍ଡନ, ବର୍ଲିନ୍‌‌ରେ ପ୍ରଦୂଷଣକୁ କମ୍ କରିବା ନିମନ୍ତେ ‘ସିଟି ଟ୍ରି’ ଲଗାଯାଇଛି। ଏହି ଟ୍ରିର ବିଶେଷତ୍ବ ହେଉଛି କମ୍ ଖର୍ଚ୍ଚରେ ତାହା କାର୍ଯ୍ୟକାରୀ ହୋଇପାରୁଛି। ଗବେଷକଙ୍କ ତଥ୍ୟ ଅନୁସାରେ, ଗୋଟିଏ ସିଟି ଟ୍ରିରେ ଅତିକମ୍‌‌ରେ ୨୭୫ଟି ଗଛର କ୍ଷମତା ରହିଛି। ସହରର ଲୋକାରଣ୍ୟ ସ୍ଥାନରେ ଏହି ଟ୍ରିକୁ ରଖାଯାଇପାରିବ। ସିଟି ଟ୍ରି ଅଙ୍ଗାରକାମ୍ଳ, ନାଇଟ୍ରୋଜେନ୍ ଅକ୍ସାଇଡ୍ ପରି ବିଷାକ୍ତ ଗ୍ୟାସ୍‌କୁ ଅବଶୋଷ କରିବା ସହ ଅମ୍ଳଜାନ ଉତ୍ପାଦନ କରିଥାଏ। ବିଶ୍ବର ୨୦ଟି ରାଷ୍ଟ୍ରରେ ଏଇ ସିଟି ଟ୍ରି ସଫଳତାର ସହ କାମ କରୁଥିବାର ତଥ୍ୟ ମିଳିଛି। ପ୍ରତିଦିନ ଏହି ସିଟି ଟ୍ରି ୨୫୦ ଗ୍ରାମ୍ ପ୍ରଦୂଷିତ କଣିକାକୁ ଶୋଷିଥାଏ। ଅନ୍ୟ ଏକ ଉପଯୋଗିତା ହେଲା ଏଥିରେ ଲାଗିଥିବା ସୋଲାର୍‌ ସିଷ୍ଟମ୍‌ ସହାୟତାରେ ବର୍ଷା ପାଣିକୁ ମଧ୍ୟ ସଂରକ୍ଷିତ କରାଯାଇପାରିବ। ୩.୫ ବର୍ଗମିଟର ଅଞ୍ଚଳରେ ଏହା ରହୁଥିବାବେଳେ ୫୦ ମିଟର ଦୂରତା ପର୍ଯ୍ୟନ୍ତ ପରିବେଶକୁ ସିଟି ଟ୍ରି ନିର୍ମଳ ରଖିବାକୁ ଚେଷ୍ଟା କରିଥାଏ। ୪ ମିଟର ଲମ୍ବା, ୩ ମିଟର ଚଉଡ଼ାର ଗୋଟିଏ ସିଟି ଟ୍ରି ନିର୍ମାଣରେ ୧୭ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ପ୍ରକାଶ।

Comments are closed.