ମମତାଙ୍କୁ ରାମ ମାଧବଙ୍କ ଚେତାବନୀ : କହିଲେ ସମ୍ବିଧାନ ମାନିବାକୁ ବାଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ବିଧାନ ମାନିବା ପାଇଁ ବାଧ୍ୟ ବୋଲି ନାଗରିକତା ସଂଶୋଧନ ବିଧେୟକକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ରାମ ମାଧବ। ସେ କହିଛନ୍ତି, ଏହି ବିଧାୟକ କାହାକୁ ଅଲଗା ରଖିବା ପାଇଁ ଆଗତ କରାଯାଇନାହିଁ। ମାତ୍ର ଅଳ୍ପ ସଂଖ୍ୟକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହାକୁ ସେହି ଲୋକମାନଙ୍କ ପାଇଁ ଆଗତ କରାଯାଇଛି ଯେଉଁମାନେ ଏଠାରେ ପ୍ରାୟ ୭୦ବର୍ଷ ହେବ ରହୁଛନ୍ତି। ମାତ୍ର ନାଗରିକତା ପାଇ ପାରିନାହିନ୍ତି।
ଉଲ୍ଲେଖ ଯୋଗ୍ୟ, ମମତା ସୋମବାର ଖଡକପୁରଠାରେ ତୃଣମୂଳ କଂଗ୍ରେସର ବିଜୟ ଶୋଭାଯାତ୍ରାକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ କହିଥିଲେ, ରାଜ୍ୟରେ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହେବାକୁ ଦିଆଯିବ ନାହିଁ। ଯେପର୍ଯ୍ୟନ୍ତ ରାଜ୍ୟରେ ତୃଣମୁଳ କଂଗ୍ରେସ ରହିଛି ସେପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ଲାଗୁ କରାଯିବ ନାହିଁ। ନିକଟରେ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ତୃଣମୂଳ କଂଗ୍ରେସର ବିଜୟ ପାଇଁ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

Comments are closed.