ନାଗରିକତା ସଂଶୋଧନ ବିଲକୁ ଲୋକସଭାର ‘ହଁ’ – ସପକ୍ଷରେ ୩୧୧, ବିପକ୍ଷରେ ୮୦

ଶାହା କହିଲେ - ମୋଦୀ ସରକାରର ଗୋଟିଏ ଧର୍ମ : ସମ୍ବିଧାନ

ନୂଆଦିଲ୍ଲୀ: ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ପରେ ଐତିହାସିକ ନାଗରିକତା ସଂଶୋଧନ ବିଧେୟକ – ୨୦୧୯ ଲୋକସଭାର ଅନୁମୋଦନ ଲାଭ କରିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଏହି ନାଗରିକତା ସଂଶୋଧନ ବିଧେୟକ ଆଗତ କରିଥିଲେ। ଏହି ବିଧେୟକ ଆଇନରେ ପରିଣତ ହେଲେ ଦେଶରେ ୬୦ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ – ୧୯୫୫ ବଦଳି ଯିବ ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହେବ।

ସୋମବାର ଦିନ ୧୧ଟାରୁ ମଧ୍ୟରାତ୍ରି ଯାଏଁ ଆଲୋଚନା, ପର୍ଯ୍ୟାଲୋଚନା ଓ କେତେକ ସଂଶୋଧନ ପରେ ଲୋକସଭାରେ ଭୋଟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୩୧୧ ଜଣ ସଦସ୍ୟ ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିବା ବେଳେ ୮୦ ଜଣ ବିପକ୍ଷରେ ଭୋଟ ଦେଇଥିଲେ । ଏହି ବିଲକୁ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରିଥିଲେ ମଧ୍ୟ ଏହାକୁ ଅଟକାଇବାରେ ସଫଳ ହୋଇ ପାରି ନ ଥିଲେ। ବିଲ ସମ୍ପର୍କିତ ଆଲୋଚନାରେ ବିଭିନ୍ନ ଦଳର ୪୮ ଜଣ ସଦସ୍ୟ ଭାଗ ନେଇଥିଲେ । ଏହି ବିଲ୍ ରେ ସମ୍ବିଧାନର କୌଣସି ଧାରାକୁ ଉଲଙ୍ଘନ କରାଯାଇ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।

Comments are closed.