ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ୨୦୧୯ – ଆଲୋଚନା ଜାରି

ସରକାର ଜିହ୍ନାଙ୍କ ସ୍ବପ୍ନ ପୁରଣ କରୁଛନ୍ତି – ଜାଭେଦ ଅଲ୍ଲୀ ଖାନ
ରାଜ୍ୟସଭାରେ ଚାଲିଥିବା ନାଗରିକତା ସଂଶୋଧନ ବିଧେୟକ ୨୦୧୯ରେ ଭାଗ ନେଇ କହିଛନ୍ତି, ଏହି ବିଲ ଏବଂ ଏନଆରସି ମାଧ୍ୟମରେ ସରକାର ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ସ୍ବପ୍ନ ପୂରଣ କରୁଛି। ସେ ସର୍ଦ୍ଦାର ପଟେଲ ୧୯୪୯ରେ କହିଥିବା ଉକ୍ତିକୁ ଆଲୋଚନା ପରିସରକୁ ଆଣି କହିଥିଲେ ଯେ ଭାରତ ବାସ୍ତବରେ ଧର୍ମନିରପେକ୍ଷତାର ମୂଳପିଣ୍ଡ ଅଟେ।

ବେଙ୍ଗଲୀମାନଙ୍କୁ ଦେଶଭକ୍ତି ନ ଶିଖାନ୍ତୁ – ଡେରିକ ଓ’ ବ୍ରାଏନ
ତୃଣମୂଳ କଂଗ୍ରେସ ସାଂସଦ ଡେରିକ ଓ’ ବ୍ରାଏନ କହିଛନ୍ତି, ବେଙ୍ଗଲୀ ହେବାର ଅର୍ଥ କଣ ଏହା ଆମକୁ ଶିଖାଇବା ଦରକାର ନାହିଁ। ସେ କହିଛନ୍ତି, ସେ ଏଭଳି ଲୋକଙ୍କୁ ଦେଖୁଛନ୍ତି ଯେଉଁମାନେ ତାଙ୍କୁ ସଚ୍ଚା ବେଙ୍ଗଲୀ ହେବାର ଅର୍ଥ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଓ ଦେଶ ଭକ୍ତିର ସଜ୍ଞା ଶୁଣାଉଛନ୍ତି। ତମେ ଆମକୁ ଶିଖାଇବାକୁ କିଏ ବୋଲି ଡେରିକ ଓ’ ବ୍ରାଏନ କହିଛନ୍ତି। ସେ ନାଗରିକତା ସଂଶୋଧନ ବିଲକୁ ୮୪ ବର୍ଷ ପୂର୍ବେ ଜର୍ମାନରେ ନାଜୀମାନଙ୍କ ଦ୍ୱାରା ମଂଜୁରିଲାଭ କରିଥିବା ଏକ ବିଲ ସହ ତୁଳନା କରି କହିଛନ୍ତି ଯେ ଏବେ ସାଵଧାନ ରହିବ ଆବଶ୍ୟକ। ସେ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖା ରହିବ। ଏହା ରାଷ୍ଟ୍ର ପିତାଙ୍କ କବରରେ ଲେଖାଯିବା କିନ୍ତୁ ଭାରତ ରାଷ୍ଟ୍ର ପିତା ନୁହେଁ, ପାକିସ୍ତାନ ରାଷ୍ଟ୍ର ପିତା ଜିହ୍ନାଙ୍କ କବରରେ।

ବିଧେୟକ ଅସାମ୍ବିଧାନିକ, ଜନ ଆନ୍ଦୋଳନ ହେବ – ଟିଏମସି
ଆଲୋଚନାରେ ଭାଗ ନେଇ ତୃଣମୂଳ କଂଗ୍ରେସ ସାଂସଦ ଡେରିକ ଓ’ ବ୍ରାଏନ କହିଛନ୍ତି, ଏହି ନାଗରିକତା ସଂଶୋଧନ ବିଧେୟକ ଅସାମ୍ବିଧାନିକ ଏବଂ ଏ ନେଇ ଜଣ ଆନ୍ଦୋଳନ କରାଯିବ। ଟିଏମସି ଏଭଳି କରିପାରେ ବୋଲି ସେ କହିଛନ୍ତି। ଏହାକୁ ଆଇନରେ ପରିଣତ ହେବାକୁ ଦିଆଯିବ ନାହିଁ ଓ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଏହି ବିଧେୟକର ମୁଳଦୁଆ ମିଥ୍ୟା ତଥ୍ୟ ଉପରେ ପର୍ଯ୍ୟବସିତ ବୋଲି ସେ କହିଛନ୍ତି।

ଆନନ୍ଦ ଶର୍ମାଙ୍କ ଭାଷଣରେ ତଥ୍ୟ ନାହିଁ – ଯେ. ପି. ନଡ୍ଡା
କଂଗ୍ରେସ ସାଂସଦ ଆନନ୍ଦ ଶର୍ମାଙ୍କ ଯୁକ୍ତିର ଜବାବ ଦେବାକୁ ଯାଇ ବିଜେପି ସାଂସଦ ଯେ.ପି. ନଡ୍ଡା କହିଛନ୍ତି ଯେ ଏହି ସଂଶୋଧନ ବିଧେୟକ ଆଇନରେ ପରିଣତ ହେଲେ ଲକ୍ଷ ଲକ୍ଷ ଲୋକଙ୍କୁ ସୁବିଧା ମିଳିବ। ଆନନ୍ଦ ଶର୍ମାଙ୍କ ଭାଷଣ କୌଣସି ତଥ୍ୟ ପର୍ଯ୍ୟବସିତ ନୁହେଁ ବୋଲି ନଡ୍ଡା କହିଛନ୍ତି। ସେ କହିଛନ୍ତି, ଅନ୍ୟ ଦେଶର ସଂଖ୍ୟାଲଘୁ ଭାରତରେ ଅଧିକ ସଂଖ୍ୟାରେ ଅଛନ୍ତି ଯେତେବେଳେ ଭାରତର ସଂଖ୍ୟାଲଘୁଙ୍କ ସଂଖ୍ୟା ପାକିସ୍ତାନ ଏବଂ ବଙ୍ଗଳାଦେଶରେ ବହୁତ ଅଧିକ। ଭାରତ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେଇଛି କିନ୍ତୁ ପାକିସ୍ତାନ ସଂଖ୍ୟାଲଘୁମାନଙ୍କୁ ହଇରାଣ କରୁଛି। ଜେପି ନଡ୍ଡା ରାଜ୍ୟସଭାରେ ତର୍କ ଉପସ୍ଥାପନା କରି କହିଛନ୍ତି, ନାଗରିକତା ବିଧେୟକ ସମାନତା ଅଧିକାରକୁ କୌଣସି ଭାବରେ ପ୍ରଭାବିତ କରିବା ନାହିଁ, ବରଂ ଏହା ଉତ୍ପୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବ।

ଆଜି ହେବନି ଲଞ୍ଚ ବ୍ରେକ
ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ଉପରେ ଆଲୋଚନା ଚାଲିଥିବାରୁ ଓ ଏହା ପ୍ରାୟ ୬ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ, ମଧ୍ୟାହ୍ନ ଭୋଜନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ରହିବ ନାହିଁ । ଆବଶ୍ୟକତା ଅନୁଯାୟୀ ସାଂସଦମାନେ ରାଜ୍ୟସଭା କ୍ୟାଣ୍ଟିନକୁ ଯାଇ ଖାଇ ପାରିବେ ବୋଲି ନିଷ୍ପତ୍ତି ହୋଇଛି।

ନାଗରିକତା ଭୂଗୋଳ ନୁହେଁ, ଜନ୍ମ ସହ ସମ୍ପର୍କିତ
କଂଗ୍ରେସ ନାଗରିକତା ସଂଶୋଧନ ବିଲକୁ ବିରୋଧ କରିବା ସହ ଦଳୀୟ ସାଂସଦ ଆନନ୍ଦ ଶର୍ମା କହିଛନ୍ତି, ଏହି ବିଧେୟକଙ୍କୁ ଆଇନର ରୂପ ଦେବା ପାଇଁ ସରକାର କଣ ପାଇଁ ଏତେ ତରତର ହେଉଛନ୍ତି। ସେ ଅମିତ ଶାହାଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି ଯେ ଯଦି ଅମିତ ଶାହା କାହାକୁ ଇତିହାସ ଲେଖିବାକୁ କହିଛନ୍ତି ତେବେ ସେମିତି ନ କରନ୍ତୁ।

ଏହି ବିଧେୟକ ମାଧ୍ୟମରେ ଭୋଟ ବ୍ୟାଙ୍କ ରାଜନୀତିକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗକୁ ଅମିତ ଶାହା ଅସ୍ବୀକାର କରି କହିଛନ୍ତି, ବିଜେପି ତାର ଘୋଷଣା ପତ୍ରରେ ଏହି ପ୍ରସଙ୍ଗ ସ୍ଥାନିତ କରିଥିଲା। ଏହି ବିଲ ଭାରତରେ ବସବାସ କରୁଥିବା ମୁସଲମାନ ମାନଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରିବା ନାହିଁ। ଭାରତରେ ରହୁଥିବା ମୁସଲମାନ ହେଉଛନ୍ତି ଭାରତର ନାଗରିକ ଅଛନ୍ତି ଓ ରହିବେ। ରାଜ୍ୟସଭାରେ ଅମିତ ଶାହା କହିଛନ୍ତି, ଭାରତରେ ରହୁଥିବା କୌଣସି ମୁସଲମାନ ଏହି ସଂଶୋଧନ ବିଧେୟକ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ନରେନ୍ଦ୍ର ମୋଦୀ ସରକାର ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରେ ଯେଉଁଥିରେ ସଂଖ୍ୟାଲଘୁମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ମିଳିବ।

ଶାହା ରାଜ୍ୟସଭାରେ କହିଛନ୍ତି, ଏବେ ପାକିସ୍ତାନ ଓ ବଙ୍ଗଳାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିଛି। ହୁଏତ ସେଠାରେ ଧାର୍ମିକ ସଂଖ୍ୟାଲଘୁମାନଙ୍କ ମୃତ୍ୟୁ ଘଟିଛି କିମ୍ବା ଏମାନେ ଭାରତରେ ଆସି ଶରଣ ନେଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ସଂଶୋଧନ ବିଲ ଅନୁମୋଦନ ଲାଭ କଲେ ବର୍ଷ ବର୍ଷ ଧରି କଷ୍ଟ ସହି ଭାରତରେ ରହୁଥିବା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଶରଣାର୍ଥୀମାନଙ୍କୁ ବଂଚିବାର ନୂଆ ରାସ୍ତା ମିଳିପାରିବ। ସେ କହିଛନ୍ତି, ଏହି ବିଲ ଉପରେ କୋଟି କୋଟି ଲୋକଙ୍କ ଆସ୍ଥା ରହିଛି ଓ ଆମକୁ ସେହି ଆସ୍ଥାକୁ ପୂର୍ଣ୍ଣ ରୂପ ଦେବାକୁ ପଡିବ।

ଏହି ବିଲର ସମର୍ଥନ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କୁ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଆଉ ଏକ ସୁଯୋଗ ମିଳିଛି। ଆଜି ରାଜ୍ୟସଭାର ୪ ଜଣ ସାଂସଦଙ୍କ ଛୁଟି ମଂଜୁର କରାଯାଇଛି, ତେଣୁ ବିଲକୁ ସମର୍ଥନ ପାଇଁ ଏବେ କେବଳ ୧୧୯ ଜଣ ସାଂସଦଙ୍କ ଅନୁମୋଦନ ଆବଶ୍ୟକ ହେବ ବୋଲି ଜଣାପଡିଛି।

ରାଜ୍ୟସଭା ଅଧ୍ୟକ୍ଷ ଏହି ସଂଶୋଧନ ବିଲ ଉପରେ ଆଲୋଚନା ପାଇଁ ୬ ଘଣ୍ଟା ସମୟ ଦେଇଛନ୍ତି। ଆଲୋଚନା ଆରମ୍ଭ କରି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଛନ୍ତି, ନାଗରିକତା ସଂଶୋଧନ ବିଧେୟକ ଭାରତୀୟ ସମ୍ବିଧାନ ଉପରେ ଏକ ଆକ୍ରମଣ। ଏହା ଫଳରେ ଭାରତର ଆତ୍ମା ଆହତ ହେବ। ସେ କହିଛନ୍ତି, ଏହି ବିଲ ଆମ ସମ୍ବିଧାନ ଓ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଛି ଯାହା ନୈତିକତାର ବିପରୀତ ଅଟେ।

ଗୃହ ମନ୍ତ୍ରୀ ରାଜ୍ୟସଭାରେ ବହୁ ପ୍ରତିକ୍ଷିତ ନାଗରିକତା ସଂଶୋଧନ ବିଲ ୨୦୧୯ ଆଗତ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କିଆ ନାଇଡୁ ଗୃହ ମନ୍ତ୍ରୀଙ୍କୁ ବିଲ ଆଗତ କରିବାକୁ ଅନୁମତି ପ୍ରଦାନ କରିବା ପରେ ଶାହା ବିଲର ପୃଷ୍ଠଭୂମି ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରୁଛନ୍ତି। ସେ କହିଛନ୍ତି, ଭାରତ ବିଭାଜନ ପରେ ଅନେକ ସମୟରେ ବିଭିନ୍ନ ଦେଶର ନାଗରିକମାନଙ୍କୁ ଭାରତର ନାଗରିକତା ଦିଆଯାଇଛି ଓ ଯେଉଁ ମାନଙ୍କୁ ଦିଆଯାଇନାହିଁ ସେମାନେ କୌଣସି ପ୍ରକାର ସହାୟତା ପାଇଁ ପାରୁନାହାନ୍ତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି।

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ ୨୦୧୯। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ସଂଶୋଧନ ବିଧେୟକ ଆଗତ କରିବେ। ସୋମବାର ଦିନ ଏହି ସଂଶୋଧନ ବିଧେୟକକୁ ବହୁ ବାଦବିବାଦ ମଧ୍ୟରେ ଲୋକସଭାରେ ଅନୁମୋଦନ ମିଳିଛି। ତେବେ ଲୋକସଭାରେ ଏହାକୁ ସମର୍ଥନ କରିଥିବା ଶିବସେନା ଆଜି ରାଜ୍ୟସଭାରେ ସମର୍ଥନ ଦେବା ନେଇ ୟୁ- ଟର୍ନ ଦେଉଥିବା ସୂଚନା ମିଳିଛି।

 

 

Comments are closed.