ସିଏଏ:ୟୁପିରେ ହିଂସାତ୍ମକ ବିରୋଧ,୬ ବିକ୍ଷୋଭକାରୀ ମୃତ, ୫୦ ପୁଲିସ ଆହତ

ନୂଆଦିଲ୍ଲୀ/ଲକ୍ଷ୍ନୌ: ନାଗରିକତ୍ବ ଆଇନ ପ୍ରତିବାଦରେ ଚାଲିଥିବା ବିକ୍ଷୋଭ ଉତ୍ତରପ୍ରଦେଶ​‌ରେ ଭୟଙ୍କର ରୂପ ନେଇଛି। ଶୁକ୍ରବାର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ରାଜ୍ୟର ୨୦ ଜିଲାରେ ଆନ୍ଦୋଳନ ଅବ୍ୟାହତ ରହିଥିଲାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଲକ୍ଷ୍ନୌରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ୬ ହିଂସା ଭିଆଣକାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଫିରୋଜାବାଦରେ ଜଣେ, କାନପୁର, ମିରଟ, ସମ୍ଭଲରେ ଜଣେ ଲେଖାଏଁ ଓ ବିନ୍‌ଜୋରରେ ଦୁଇ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଜାଫର ନଗର, ବୁଲନ୍ଦସହର, ବାହ୍ରାରିଚ୍‌, ଗୋରଖପୁର, ଅଲିଗଡ଼, ଫରୁକାବାଦ, ଗାଜିଆବାଦ, ଭାଦୋହି, ମିରଟ, ବିନ୍‌ଜୋର, ସୁଲତାନପୁର, ବାରାବାଙ୍କି, ବାରାଣସୀ, ସମ୍ଭଲ ଆଦି ସ୍ଥାନରେ ବିକ୍ଷୋଭକାରୀ ପୁଲିସ ଉପରକୁ ଢ଼େଲାପଥର ଫିଙ୍ଗିବା ସହ ଥାନା ଓ ଏକାଧିକ ଗାଡିକୁ ପୋଡି ଦେଇଛନ୍ତି। ଉପଦ୍ରବକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ତେବେ ​‌ଢେଲାପଥର ମାଡ଼ରେ ୫୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଲକ୍ଷ୍ନୌରେ ହିଂସା ଭିଆଉଥିବା ଦେଢ଼ ଶହରୁ ଅଧିକଙ୍କୁ ଗିରଫ କରାଗଲାଣି।
ଅନ୍ୟପକ୍ଷରେ ରାଜ୍ୟ ପୁଲିସ ମହାନିର୍ଦେଶକ ଓ.ପି ସିଂହ ପୁଲିସ ଗୁଳିରେ କାହାରି ମୃତ୍ୟୁ ହୋଇ ନ ଥିବା କହିଛନ୍ତି। ପୁଲିସ ଆଦୌ ଗୁଳି ଚଳାଇନାହିଁ ବୋଲି ସେ ଦାବି କରିଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷ୍ନୌ ସମେତ ବିଭିନ୍ନ ସ୍ଥାନରେ ୪୫ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ଓ ମୋବାଇଲ ଫୋନ୍‌ ସେବା ବାତିଲ କରିଛନ୍ତି। ବିକ୍ଷୋଭବେଳେ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।

ରାଜଧାନୀ ଦିଲ୍ଲୀରେ କ୍ରମାଗତ ଚତୁର୍ଥ ଦିନ ଅବ୍ୟାହତ ରହିଥିବା ପ୍ରତିବାଦ, ହିଂସା, ଶୋଭାଯାତ୍ରା ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି। ଜାମିଆ ନଗର, ସିଲମପୁର, ଇଣ୍ଡିଆ ଗେଟ୍‌, ଜନ୍ତରମନ୍ତର ଆଦି ପରେ ଶୁକ୍ରବାର ଏହା ଦରିୟାଗଞ୍ଜ ଅଞ୍ଚଳକୁ ବ୍ୟାପିଛି। ଏଠାରେ ବ୍ୟାପକ ପୋଡ଼ାଜଳା ହୋଇଛି। ଦରିଆଗଞ୍ଜ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଏକ ଗାଡ଼ିକୁ ବିକ୍ଷୋଭକାରୀ ପୋଡ଼ି ଦେଇଛନ୍ତି। ଏଥିରେ ଡିସିପି ରାଜବୀର ସିଂହ ଆହତ ହୋଇଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପାଣି ମାଡ଼ କରିଛି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଅାୟୋଜିତ ହୋଇଥିବାବେଳେ ପୁଲିସ ଶୋଭାଯାତ୍ରାକାରୀଙ୍କୁ ଅଟକାଇବାରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଛି। ପରେ ଅଟକ ପ୍ରତିବାଦକାରୀଙ୍କୁ ଫେରାଇ ନେବା ପାଇଁ ଲୋକେ ଥାନାରେ ଉନ୍ମତକାଣ୍ଡ ଘଟାଇଥିଲେ।
ଦିଲ୍ଲୀର ଜାମା ମସ୍‌ଜିଦ୍‌ରେ ଶୁକ୍ରବାର ସମୂହ ନମାଜ ପରେ ହଜାର ହଜାର ମୁସଲମାନ ଏକାଠି ହୋଇ ଏହି ଆଇନକୁ ବିରୋଧ କରି ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୁଲିସ ଫାଟକ ଲଗାଇ ଏହାକୁ ଅଟକାଇବାବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ସେହିଭଳି ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ, ସିଲମପୁର ଆଦି ସ୍ଥାନରେ ମଧ୍ୟ ବିକ୍ଷୋଭ ଜାରି ରହିଛି। କର୍ତ୍ତୃପକ୍ଷ ୧୭ଟି ମେଟ୍ରୋ ରେଲ୍‌ ଷ୍ଟେସନ୍‌ ବନ୍ଦ କରିଦେଇଥିବାବେଳେ ଇଣ୍ଟରନେଟ ଓ ମୋବାଇଲ ଫୋନ୍‌ ସେବା ବନ୍ଦ ରହିଛି। ଜାମା ମସ୍‌ଜିଦ ଅଞ୍ଚଳରେ ଶୋଭାଯାତ୍ରା ବାହାର କରୁଥିବା ଭୀମ୍‌ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୁଲିସ ଅଟକ ରଖିବାବେଳେ ସେ ଖସି ପଳାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ବିବୃତି ମାଧ୍ୟମରେ ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସେ ନିନ୍ଦା କରିଛନ୍ତି। ଇଣ୍ଡିଆ ଗେଟ୍‌ଠାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ବିକ୍ଷୋଭରେ ସାମିଲ ହୋଇଛନ୍ତି।

ସେହିଭଳି ଦି ହେଗ୍‌ସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ) ସମ୍ମୁଖରେ କିଛି ଲୋକ ନାଗରିକତ୍ବ ଆଇନ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ଦିନ ଧରି ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ଦ୍ବାରା ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ସେମାନେ ଦର୍ଶାଇଛନ୍ତି।
ଅହମ୍ମଦାବାଦ, ବେଙ୍ଗାଲୁରୁ, ମାଙ୍ଗାଲୁରୁ, ଚେନ୍ନଇ, ମୁମ୍ବଇ ଆଦି ସହରରେ ପ୍ରତିବାଦ ଅବ୍ୟାହତ ରହିଛି। ଅହମ୍ମଦାବାଦରେ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ପୁଲିସ ସହ ସଂଘର୍ଷରେ କେତେଜଣ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିବା ପ୍ରକାଶ। ଆସାମରେ ଗୁଆହାଟୀ ହାଇକୋର୍ଟ ନିର୍ଦେଶକ୍ରମେ ଶୁକ୍ରବାର ଇଣ୍ଟରନେଟ୍‌ ସେବା କାର୍ଯ୍ୟକାରୀ ହୋଇଛି। ଡିସେମ୍ବର ୧୧ରୁ ଏହା ବାତିଲ ହୋଇଥିଲା। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆସାମବାସୀଙ୍କୁ ଏହାଦ୍ବାରା ସେମାନଙ୍କ ଭାଷା କିମ୍ବା ପରିଚୟ ପ୍ରଭାବିତ ହେବ ନାହିଁ ବୋଲି ଭରସା ଦେଇଛନ୍ତି। ରାଜ୍ୟରେ ଏନ୍‌ପିଆର୍‌ କାର୍ଯ୍ୟକ୍ରମ ଆରମ୍ଭ କରିବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲାବେଳେ ଶୁକ୍ରବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ ଦୋହରାଇଛନ୍ତି।

Comments are closed.