ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଧେୟକ

ନୂଆଦିଲ୍ଲୀ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ବିଧେୟକ(ସିଏବି)- ୨୦୧୯ ସୋମବାର ଲୋକସଭାରେ ଆଗତ କରିବେ। ଲୋକସଭାରେ ଗୃହୀତ କରାଇବା ପରେ ଏହାକୁ ତୁରନ୍ତ ରାଜ୍ୟସଭାରେ ମଧ୍ୟ ଆଗତ କରାଯିବା ବ୍ୟବସ୍ଥା ହୋଇଛି। ଏଥିପାଇଁ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବିଜେପି ହୁଇପ୍‌ ଜାରି କରିଛି। ଲୋକସଭାରେ ଦଳର ସବୁ ସଦସ୍ୟଙ୍କୁ ଡିସେମ୍ବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ତିନି ଦିନ ମଧ୍ୟରେ ବିଧେୟକ ଉପରେ ଆଲୋଚନା ହେବା ସହିତ ଗୃହୀତ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଜୁ ଜନତା ଦଳ(ବିଜେଡି) ଏହି ବିଧେୟକକୁ ସମର୍ଥନ କରିବ ବୋଲି ଜଣାପଡିଛି। ଦଳ ପକ୍ଷରୁ ଏନେଇ ହୁଇପ୍‌ ଜାରି କରାଯିବାର ମଧ୍ୟ ସମ୍ଭାବନା ରହିଛି। ଲୋକସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ଥିବାବେଳେ ରାଜ୍ୟସଭାରେ ନାହିଁ। ଉଚ୍ଚ ସଦନରେ ବିଜେପି ର ୮୧ ସହ ସହଯୋଗୀ ଦଳଗୁଡ଼ିକୁ ମିଶାଇଲେ ସଦସ୍ୟ ସଂଖ୍ୟା ୯୮ ହେଉଛି। ସେହିପରି କଂଗ୍ରେସର ୪୬ ସହ ସହଯୋଗୀଙ୍କୁ ମିଶାଇଲେ ୧୦୦ ସଦସ୍ୟ ହେଉଛନ୍ତି। ଏବେ ରାଜ୍ୟସଭାର ୨୪୫ ଜଣ ସଦସ୍ୟ ଅଛନ୍ତି। ବିଧେୟକ ଗୃହୀତ କରିବାକୁ ହେଲେ ୧୨୩ ଜଣ ସଦସ୍ୟଙ୍କ ସମର୍ଥନ ଲୋଡ଼ା। ତେବେ ଏହି ବିଧେୟକକୁ ଶିବସେନା ଓ ବିଜେଡି ସମେତ ଅନ୍ୟ କେତେକ ଆଞ୍ଚଳିକ ଦଳ ସରକାରଙ୍କୁ ସମର୍ଥନ କରିବା ସମ୍ଭାବନା ରହିଛି।
ବିଜେଡି ପକ୍ଷରୁ ଏନେଇ ହୁଇପ୍‌ ଜାରି କରାଯିବାର ମଧ୍ୟ ସମ୍ଭାବନା ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂଶୋଧନ ବିଧେୟକଙ୍କୁ ଆସନ୍ତାକାଲି ଆଗତ କରିବା ନେଇ ଲୋକସଭା କାର୍ଯ୍ୟସୂଚୀରେ ସ୍ଥାନ ପାଇଛି।

Comments are closed.