ଆଜିଠୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଭୁବନେଶ୍ୱର : ଜେଡିସିଏ ପକ୍ଷରୁ ଶୁକ୍ରବାରରୁ ୧୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହେବ। ଇଡ଼କଲ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ବିଧିବଦ୍ଧଭାବେ ୮ ଏବଂ ୯ ତାରିଖରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ମହୋତ୍ସବରେ ଓଡ଼ିଶାରୁ ୬, ଭାରତରୁ ୨୧ ଏବଂ ବିଦେଶରୁ ୧୭ଟି ଚଳଚ୍ଚିତ୍ର ସହିତ ମୋଟ ୪୮ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯତୀନ ଦାସ।
ଚଳିତବର୍ଷର ବିଷୟବସ୍ତୁରେ କଳା ଓ ହସ୍ତକଳାକୁ ପ୍ରାଧାନ୍ୟ ଦିଆଯିବ। ଏହି ଅବସରରେ ଚାଇନିଜ୍ ଆର୍ଟିଷ୍ଟ ୱେପୁ ଚେଙ୍ଗ୍, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦନ ସାକ୍ସେନା ଓ କବିତା ବେହେଲ ଡିଜିଟାଲ ଚଳଚ୍ଚିତ୍ର ନିର୍ମାଣ ଉପରେ ଆୟୋଜିତ କର୍ମଶାଳାରେ ଭାଗ ନେବେ। ବୋସ୍ କ୍ରିଷ୍ଟାମାଚାରୀ, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଏବଂ ନ୍ୟାସନାଲ୍ ଗାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ମହାନିର୍ଦେଶକ ଅଦ୍ୱୈତ ଗଡ଼ନାୟକ ଚଳଚ୍ଚିତ୍ର ଉପରେ ମତଦେବେ। ଉତ୍ସବରେ ଓଡ଼ିଆ ବ୍ୟଞ୍ଜନ ପ୍ରସାରର ଝଲକ ମଧ୍ୟ ଦେଖିବାକୁ ମିଳିବ। ତ୍ରୟୋଦଶ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଶାର କଳା ଓ ଶିଳ୍ପ ବିଶେଷକରି ଲୁପ୍ତପ୍ରାୟ କଳାଶୈଳୀକୁ ସିନେମା ମାଧ୍ୟମରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ନିର୍ମିତ ଚଳଚ୍ଚିତ୍ର ମଧ୍ୟରୁ ଅଭିଷେକ ସ୍ୱାଇଁଙ୍କ ‘ଥ୍ରୋ ଦ ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଜାତ’, ପଙ୍କଜ ସେଠୀଙ୍କ ‘କବୀର କେ ଜୁଲାହେ’ ଆଦି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ସିଦ୍ଧାର୍ଥ ଦାସ, ଲଳିତ ମାନସିଂହ, ବୀରେନ ଦାସ, ଚଳଚ୍ଚିତ୍ର ଅଭିନେତ୍ରୀ ନନ୍ଦିତା ଦାସ, ସମାଜସେବୀ ଗାୟତ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.