ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଏଣ୍ଟରପ୍ରାଇଜ ଓଡ଼ିଶା-୨୦୨୧ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ସ୍ଥାନରେ ଉଭୟ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧’ ଏ କ୍ଷେତ୍ରରେ ନୂଆ ସମ୍ଭାବନା କରିଛି। ୱେଲ୍କମ୍ ହୋଟେଲ ପରିସରରେ ସିଆଇଆଇ (କନଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି) ପକ୍ଷରୁ ଆୟୋଜିତ ୨୩ ତମ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’କୁ ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ଼୍ ଭଳି ପ୍ରତିକୂଳ ସମୟରେ ମଧ୍ୟ ସାରା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଛି। ପୂର୍ବରୁ ମେକ୍ଇନ୍ ଓଡ଼ିଶା ଓ ଷ୍ଟାର୍ଟ ଅପ ଓଡ଼ିଶା ଭଳି ଅନେକ ସରକାରୀ ଉଦ୍ୟମ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ସଫଳ ହୋଇଛି। ଶିଳ୍ପ ଓ ଏମ୍ଏସ୍ଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭିଡ଼ିଓ କନଫରେନସିଂ ଜରିଆରେ ଯୋଗଦେଇ ଶିଳ୍ପ କ୍ଷେତ୍ରରେ ସରକାରଙ୍କ ପ୍ରସ୍ଥୁତି ସମ୍ବନ୍ଧରେ ସୂଚନା ଦେଇଥିଲେ। ‘ଲେସ୍ ଗଭର୍ଣ୍ଣମେଣ୍ଟ, ମୋର ଗଭର୍ଣ୍ଣାନ୍ସ’ ନ୍ୟାୟରେ କିଭଳି ସରକାର କାମ କରୁଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବଜେଟ୍ କିଭଳି ବହୁଗୁଣିତ ହୋଇଛି ସେ ନେଇ ସୂଚନା ଦେଇଥିଲେ।

ଇପିକଲ୍ ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗଦେଇ ଶିଳ୍ପର ଉନ୍ନତି ପାଇଁ ୪ଟି ମନ୍ତ୍ର ସମ୍ବନ୍ଧରେ ଆଲୋଚନା କରିବା ସହିତ ସମ୍ବଳ, ଭିତ୍ତିଭୂମି, ଯୋଜନା ଓ ଯୋଗାଯୋଗରେ ଉନ୍ନତି କରାଗଲେ ଶିଳ୍ପକ୍ଷେତ୍ରରେ ଆହୁରି ଉନ୍ନତ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ବେଦାନ୍ତ ସିଇଓ ରାହୁଲ ଶର୍ମା ଓ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ସିଇଓ ଦିଲ୍ଲୀପ ଓମେନ୍ ଭିଡ଼ିଓ କନଫରେନସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଅଶୋକ ବଳ ଓ ରଣଜିତ ରଥ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ବଲପୁର ଆଇଆଇଏମ୍ ଆସୋସିଏଟ୍ ପ୍ରଫେସର୍ ରାମକୃଷ୍ଣ ପାଢୀଙ୍କ ପ୍ରସ୍ତୁତ କରିଥିବା ଇମର୍ଜିଂ ସେକ୍ଟର୍ସ ଅଫ୍ ଓଡ଼ିଶା ଶୀର୍ଷକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ସିଆଇଆଇ ଓଡ଼ିଶା କାଉନସିଲ ଅଧ୍ୟକ୍ଷ ମନୀଷ ଖରବନ୍ଦା ସ୍ୱାଗତ ଭାଷଣ ଦେଇଥିଲେ। ସିଆଇଆଇ ପୂର୍ବତନ ଅଧ୍ୟକ୍ଷ ଏମ୍କେ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.