ଆତ୍ମନିର୍ଭର ଭାରତ ପାଇଁ ଦୀର୍ଘ ମିଆଦୀ ଜଳଜୀବ ପାଳନ ସଂପର୍କୀୟ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ରୀୟ ମଧୁରଜଳଜୀବ ପାଳନ ସଂସ୍ଥା ଓ ଆସୋସିଏସନ୍ ଅଫ୍ ଆକ୍ୱାକଲ୍ଚରିଷ୍ଟ ମିଳିତ ସହଯୋଗରେ ହିନ୍ଦୀ ଭାଷାରେ ଆତ୍ମନିର୍ଭର ଭାରତ ପାଇଁ ଦୀର୍ଘ ମିଆଦୀ ଜଳଜୀବ ପାଳନ ସଂପର୍କୀୟ ଏକ ଜାତୀୟ ସମ୍ମିଳନୀ ଶୁକ୍ରବାର ସିଫା ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ସ୍ଥାୟୀ ଜଳଜୀବ ପାଳନ ପ୍ରଣାଳୀ, ମତ୍ସ୍ୟପୋଷଣ, ମତ୍ସ୍ୟ ଅନୁବଂଶୀକ ଓ ସୂକ୍ଷ୍ମଜୀବାଣୁଏବଂ ଜୀବ ପ୍ରକ୍ରିୟାର ଔଦ୍ୟୋଗୀକ ପ୍ରୟୋଗ, ମତ୍ସ୍ୟସ୍ୱାସ୍ଥ୍ୟ ପରିଚାଳନା, ସାମାଜିକ ଅର୍ଥନୈତିକ ଓ ଜୀବିକା ନିର୍ବାହ ବିଷୟ ବସ୍ତୁ ଉପରେ ଆଲୋଚିତ ହେବାକୁ ଥିବାଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ।

ଭାରତୀୟ କୃଷି ଗବେଷଣା ପରିଷଦର ଉପ ମହାନିର୍ଦ୍ଦେଶକ ଡଃ ଜେ. କେ. ଜେନା ଏହାକୁ ଉଦଘାଟନ କରି ଭାରତୀୟ ଗ୍ରାମୀଣ ଅର୍ଥନୀତି ଓ କୃଷି କ୍ଷେତ୍ରରେ ମାଛ ଚାଷର ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ। ମାଛ ଉତ୍ପାଦନ କ୍ଷେତ୍ରରେ ଆଭ୍ୟନ୍ତରୀଣ ମତ୍ସ୍ୟ ଚାଷର ଶତକଡ଼ା ୬୫ ଭାଗ ଅବଦାନ ରହିଥିବାରୁ ସମାଜର ସମସ୍ତ ଶ୍ରେଣୀର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ମାଛ ଉତ୍ପାଦନ କରିଯୋଗାଇ ଦେବାକୁ ଡଃଜେନା ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଥିଲେ। ଦୀର୍ଘ ମିଆଦୀ ମତ୍ସ୍ୟଚାଷ ପାଇଁ ଜଳଜୈବ ପରିବେଶ ଓ ସେଥିରେ ବାସ କରୁଥିବା ଜୀବଗୁଡ଼ିକର ସ୍ୱାସ୍ଥ୍ୟକୁ ସଠିକ ବଜାୟ ରଖିବା ଉଚିତ ଓ ଗବେଷକ ତଥା ବୈଜ୍ଞାନିକମାନେ ଜଳଜୀବ ପାଳନ କ୍ଷେତ୍ରରେ ହିତାଧିକାରୀଙ୍କ ସୁବିଧା ପାଇଁ ଉପଯୋଗୀ ଉତ୍ପାଦ ଓ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରିବା ପାଇଁ ଡଃ ଜେନା ମତ ପ୍ରକାଶ କରିଥିଲେ। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. କେ. ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଗବେଷଣାର ମୂଲ୍ୟ ଓ ଟିମ୍ ସ୍ପିରିଟ ଉପରେ ଗୁରୁତ୍ୱାରୋପ କରିବା ସହିତ ଆକାଂକ୍ଷିତ ଫଳାଫଳ ହାସଲ ପାଇଁ ବିଭିନ୍ନ ସଂଗଠନର ସହଯୋଗ ଓ ବିକାଶ ମୂଳକ ପଦକ୍ଷେପ ଗୁଡ଼ିକର ଆବଶ୍ୟକତା ସଂପର୍କରେ କହିଥିଲେ। ସମ୍ମାନୀତ ଅତିଥିଭାବେ ଯୋଗଦେଇ ଭାରତୀୟ କୃଷି ଅନୁସଂଧାନ ପରିଷଦର ସହ ମହାନିର୍ଦ୍ଦେଶକ ଡଃବି. ପି. ମହାନ୍ତି ସିଫା ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପାଇଁ ସିଫା ଓ ଆୟୋଜକ କମିଟିକୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦେଶରେ ଅଧିକ ଜଳଜୀବ ପାଳନକାରୀଙ୍କ ପାଖରେ ପହଂଚିବା ପାଇଁ ହିନ୍ଦୀ ଭାଷାରେ ଏକ କୃଷକ ଅନୁକୂଳ ପତ୍ରିକା ପ୍ରକାଶ ପାଇବା ଉଚିତ। ରଂଗୀନ ମାଛ ଚାଷ କ୍ଷେତ୍ରରେ ଏକ ମେଗା ଗବେଷଣା ଆରମ୍ଭ କରି ଏହାର ବିକାଶ ଉପରେଗୁରୁତ୍ୱ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କୋଲକାତାସ୍ଥିତ ସିଫ୍ରିର ନିର୍ଦ୍ଦେଶକ ତଥା ପିଏଫ୍ଜିଏଫ୍, ମୁମ୍ବାଇର ଅଧ୍ୟକ୍ଷ ଡଃ ବସନ୍ତ କୁମାର ଦାସ ଯୋଗଦାନ କରି ଆଭ୍ୟନ୍ତରୀଣ ମତ୍ସ୍ୟଜୀବିମାନଙ୍କର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ଜଳବାୟୁ ପରିବର୍ତନ, ଆକ୍ରମଣକାରୀ ପ୍ରଜାତୀ, ସଂଯୋଗୀକରଣ, ଆଦ୍ର ଭୂମି, ଜୈବ ବିବିଧତା, ଜଳ ପ୍ରଦୂଷଣ, ପୁର୍ନରୁଦ୍ଧାରଏବଂ ପରିଚାଳନା ଇତ୍ୟାଦି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଗୁଡ଼ିକର ଅବତାରଣା କରି ଏକ ଦୀର୍ଘ ମିଆଦୀ ଜଳଜୀବ ପାଳନ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ କରିବ ବୋଲି ଡଃ ଦାସକହିଥିଲେ। ପ୍ରାରମ୍ଭରେସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ କହିଥିଲେ ଯେ ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସିଫା କୃଷକମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛି। ସିଫା ଦ୍ୱାରା କାର୍ଯ୍ୟକାରୀ ହୋଇ ଥିବା ବିଭିନ୍ନ ଗବେଷଣା, ଅର୍ଥନୈତିକ ଅଭିବୃଦ୍ଧି ପାଇଁ କାର୍ପ ଏବଂ ଚିଙ୍ଗୁଡ଼ିର ପ୍ରଜନନ ଓ ପାଳନ, ଏଫ୍ଆର୍ପିହାଚେରୀ, ମାଛଖାଦ୍ୟ ପ୍ରସ୍ତୁତି, ମତ୍ସ୍ୟରୋଗ ନିରୂପଣ କିଟ୍, ଜିଆଇସ୍କାମ୍ପି, ଜୟନ୍ତୀ ରୋହି ଓ ସିଫା ବ୍ରୁଡ଼ର ଉଦ୍ଭାବନ କରି ଜଳଜୀବ ପାଳନ କ୍ଷେତ୍ରରେ ସାରାବିଶ୍ୱରେ ଜନପ୍ରିୟ ହୋଇପାରିଛି। ଏହା ସହିତ ଡଃ ସ୍ୱାଇଁ କହିଥିଲେ ଯେ, ମତ୍ସ୍ୟସେତୁ ଆପକୁ ବ୍ୟବହାର କରି ଅଗଣିତ ଚାଷୀ ଉପକୃତ ହୋଇପାରୁଛନ୍ତି। ଭାରତସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏସ୍ସିଏସ୍ପି, ଏସ୍ଟିସି ଓ ଏନ୍ଇଏଚ କାର୍ଯ୍ୟକ୍ରମକୁ ସିଫା ସଫଳତାର ସହ ତୁଲାଇ ପାରିଛି ବୋଲି ଡଃ ସ୍ୱାଇଁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସୋସିଏସନ୍ ଅଫ୍ ଆକ୍ୱାକଲ୍ଚରିଷ୍ଟର ସଚିବ ଡଃ ଶୈଲେସ ସୌରଭ ପରିଚାଳନା କରିଥିଲେ।

Comments are closed.