ଗବେଷଣା ଓ ଶୈକ୍ଷିକ ଉତ୍କର୍ଷତା ପାଇଁ ସିଫା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା ଓ ଶୈକ୍ଷିକ ଉତ୍କର୍ଷତା ବିନିମୟ ପାଇଁ ଏକ ବୁଝାମଣାପତ୍ର (ଏମ୍‍ଓୟୁ) ଆଜି ସ୍ୱାକ୍ଷରିତ ହୋଇଯାଇଛି। ଏହାଦ୍ୱାରା ଉଭୟ ଅନୁଷ୍ଠାନ ମଧ୍ୟରେ ଗବେଷଣା ସହବନ୍ଧନ, ପ୍ରଶିକ୍ଷଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇପାରିବ। ଏକ ସ୍ୱତନ୍ତ୍ର ଉତ୍ସବରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତଲଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

 

ଏହି ଅବସରରେ ପଶ୍ଚିମ ଓଡିଶାର ଦୁର୍ବଳ ଶ୍ରେଣୀ ଲୋକମାନଙ୍କର ଜୀବିକା ଅର୍ଜନ ଅଭିବୃଦ୍ଧି ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକୁ ସିଫାର ନିର୍ଦ୍ଦେଶକ ଡଃ ସ୍ୱାଇଁ ଭୂୟସୀ ପ୍ରଶଂସା କରିଥିଲେ। ଭବିଷ୍ୟତରେ ମିଳିତ ଗବେଷଣା ଓ ମଧୁର ଜଳଜୀବ ପାଳନ ଶିକ୍ଷା କ୍ଷେତ୍ରରେ ଏହିଭଳି ଅଧିକ ସହବନ୍ଧନ ଅନୁଷ୍ଠିତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଡଃ ମିତଲ ନିଜ ଅଭିଭାଷଣରେ ବାୟୋଫ୍ଲକ୍, ରାସ୍ ସିଷ୍ଟମ, ପୋଷଣ ଗବେଷଣା ଓ ଜଳଜୀବ ପାଳନ ଜୀବିକାର୍ଜନ ପାଇଁ ଏକ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ। ସମାଜର ମଙ୍ଗଳ ନିମନ୍ତେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଆଦାନପ୍ରଦାନ ପାଇଁ ଏହିଭଳି ସହବନ୍ଧନର ଆବଶ୍ୟକତା ରହିଛି ଓ ଏହି କ୍ଷେତ୍ରରେ ସିଫାର ବୈଜ୍ଞାନିକମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସହଯୋଗ କରିବେ ଯାହାଫଳରେ ଉଭୟ ସଂସ୍ଥା ଲାଭବାନ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଫାର ପ୍ରମୁଖ ବୈଜ୍ଞାନିକ ଡଃ ପଦ୍ମନାଭ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଡଃ ନଗେସ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏମ୍ଇ ସେଲ୍ର ଅଧିକାରୀ ଡଃ ପି. କେ. ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇ.ବି. କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.