କରୋନା ପାଇଁ ଆସିଲା ‘ହାଫ୍ କ୍ରିସ୍‌ମାସ୍‌ ଟ୍ରି’!

ମହାମାରୀ କରୋନା ୨୦୨୦ର ସ୍ଥିତିକୁ ଏପାଖସେପାଖ କରିଦେଇଛି। ଲକ୍-ଡାଉନ୍ ଏବେ କୋହଳ ହେଲାଣି କିନ୍ତୁ ଲୋକଙ୍କ ମନରେ ପୂର୍ବ ଭଳି ଆଗ୍ରହ ନାହିଁ। ଆଉ ମାସ କେଇଟା ପରେ ବଡ଼ଦିନ ଓ ନୂଆ ବର୍ଷର ସ୍ବାଗତ ହେବ। ବିଶେଷ କରି ଇଉରୋପୀୟ ଓ ଆମେରିକୀୟ ରାଷ୍ଟ୍ରରେ ଏସବୁର ପ୍ରସ୍ତୁତି ବର୍ତ୍ତମାନଠାରୁ ଆରମ୍ଭ ହେବା କଥା। ନଭେମ୍ବର ଦ୍ବିତୀୟ ସପ୍ତାହରେ ଇଂଲଣ୍ଡରେ ପ୍ରଥମେ ବଡ଼ଦିନ ପୂର୍ବ ଆସର ଜମେ। ସପିଂ ମଲ୍, ରେସ୍ତୋରାଁ, ହୋଟେଲ ସବୁଠାରେ ଭିଡ଼ ଦେଖାଯାଉଥିବାବେଳେ ଆକର୍ଷଣୀୟ ଅଫରମାନ ମଧ୍ୟ ଲାଗେ। ହେଲେ ଏଥରକର ପରିସ୍ଥିତି ଅଲଗା। ବଡ଼ଦିନରେ ବିକ୍ରି ବଢ଼ାଇବା ପାଇଁ କେତୋଟି କମ୍ପାନୀ ବୁଦ୍ଧି ପ୍ରୟୋଗ କଲେଣି ହେଲେ ସଫଳ କେତେ ଦୂର ହେବେ ତାହା ଜଣାନାହିଁ। ଆମେରିକାର ଏକ ବଡ଼ ତଥା ଲୋକପ୍ରିୟ ଦୋକାନ ଭାବେ ‘ହାମେଚର୍ ସ୍କେଲମର୍’ ଜଣାଯାଏ। ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟରେ ଏଠାରେ ରୀତିମତ ଲାଗିଥାଏ। ହେଲେ ଚଳିତ ବର୍ଷ ଦୋକାନ ଖୋଲିବାର ଦେଢ଼ ମାସ ସମୟ ହେବା ସତ୍ତ୍ବେ ଗ୍ରାହକଙ୍କ ଭିଡ଼ ନାହିଁ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ଦିନ ‘କ୍ରିସ୍‌ମାସ୍ ଟ୍ରି’ରେ ଆକର୍ଷଣୀୟ ଅଫର୍ ଲାଗିଛି। ଏହା ସହ ଏଥରକର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ‘ହାଫ୍ କ୍ରିସ୍‌ମାସ୍ ଟ୍ରି’। ଦୋକାନର ସେଲ୍ସମ୍ୟାନ୍‌ଙ୍କ କହିବାନୁସାରେ, ଏହି ଡିଜାଇନର ଗଛ ଅଳ୍ପ ସ୍ଥାନରେ ରହିପାରିବା ସହ ସାଜସଜ୍ଜା ପାଇଁ ଅଧିକ ଖର୍ଚ୍ଚ ହେବନାହିଁ। କରୋନା ପରେ ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ ନିମନ୍ତେ ଏଇ ଉପାୟ ପ୍ରୟୋଗ ହୋଇଛି। ଏଇ ଦୋକାନରେ କ୍ରିସ୍‌ମାସ୍ ଟ୍ରି ୩ହଜାର ଟଙ୍କାରୁ ଆରମ୍ଭ ହୋଇ ୧୫ହଜାର ଟଙ୍କା ମଧ୍ୟରେ ଉପଲବ୍ଧ। ହେଲେ ଚଳିତଥର ହାଫ୍ କ୍ରିସ୍‌ମାସ୍ ଟ୍ରିର ମୂଲ୍ୟ ୨,୫୦୦ ଟଙ୍କା ଧାର୍ଯ୍ୟ ହୋଇଛି।

Comments are closed.