ବିପୁଳ ପରିମାଣର ବେଆଇନ ମଦ ଜବତ, ୩ ଗିରଫ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାର ୧୧ ନମ୍ବର ୱାର୍ଡ଼ସ୍ଥିତ ଓଟିଏମ୍‍ କଲୋନୀର ୪ଟି କ୍ୱାର୍ଟର ଭିତରେ ମହଜୁଦ ଥିବା ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦକୁ ଚୌଦ୍ୱାର ପୁଲିସ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଜବତ କରିଛି। ଏଥି ସହିତ ଓଟିଏମ୍‍ କଲୋନୀରେ ରହୁଥିବା କୁଖ୍ୟାତ ମଦ ବ୍ୟବସାୟୀ କାହ୍ନୁ ଚରଣ ରାଉଳ, କାହ୍ନୁର ବାପା ଉମେଶ ରାଉଳ ଓ ଚନ୍ଦ୍ର ଶେଖର ସାହୁଙ୍କୁ ଗିରଫ କରିଛି। ସେମାନଙ୍କ ଘରୁ ୭୨୫ ବୋତଲ ଆସ୍କା-୪୦, ୧୮ ବୋତଲ ବିଦେଶୀ ମଦ, ୧୬୦ ଲିଟର ଆଇପି ଲିକର ସହିତ ୪ଟି ମଟର ସାଇକେଲ, ଗୋଟିଏ ଅଲଟୋ କାର, ମଦ ରଖିବା ଜାରକିନ୍‍ ଆଦି ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ କାହ୍ନୁ ଓ ତା ବାପା ଓଟିଏମ୍‍ କଲୋନୀସ୍ଥିତ ତାଙ୍କ ରହିବା କ୍ୱାର୍ଟରରେ ଦୀର୍ଘଦିନ ହେଲା ଚୋରାମଦ କାରବାର କରୁଥିଲେ। ଏଥି ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଡରାଇ ଧମକାଇ ଚୁପ୍‍ କରି ରଖୁଥିଲେ। କେହି ପ୍ରତିବାଦ କଲେ ସେମାନଙ୍କୁ ମାଡ଼ ମାରିବା, ଧମକାଇବା ଓ ହଇରାଣ ହରକତ ଆଦି କରୁଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ କଲୋନୀର ଶତାଧିକ ମହିଳା, ପୁରୁଷ ଓ ଯୁବକ ଏକାଠି ହୋଇ ସୋମବାର ଦିନ କାହ୍ନୁ ଅକ୍ତିଆର କରି ମଦ ସାମ୍ରାଜ୍ୟ ଚଳାଇଥିବା ୪ଟି କ୍ୱାର୍ଟର ଉପରେ ଚଢ଼ଉ କରିଥିଲେ। ଘର ଭିତରେ ବିପୁଳ ପରିମାଣର ମଦଥିବା ଦେଖି କିଛି ମଦ ପେଟି ବାହାରକୁ ନୋଇ ଆସିବା ସହିତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଏସ୍‍ ଆଇ ପାର୍ଥ ପ୍ରତିମ ବେଉରା ଓ ଏସ୍‍ଆଇ ତପସ୍ୱିନୀ କାନୁନ୍‍ଗୋ ସଦଳବଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମଦ ଜତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଏହି ବେଆଇନ୍‍ ମଦ କରାବାରରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ଖୋଜିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବିରଞଚି ନାରାୟଣ ପତି ସୂଚନା ଦେଇଛନ୍ତି।

Comments are closed.