୯ବର୍ଷ ତଳେ ଘଟିଥିବା ଚୌଦ୍ୱାର ଗୁଳିକାଣ୍ଡ ଘଟଣାର ଫେରାର ଅଭିଯୁକ୍ତ ଗିରଫ

ଚୌଦ୍ୱାର – :ଚୌଦ୍ୱାରସ୍ଥିତ ଗ୍ରୀଡ଼ କଲୋନୀରେ ଆଜକୁ ୯ ବର୍ଷ ତଳେ ଘଟିଥିବା ଏକ ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଚୌଦ୍ୱାର ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଚୌଦ୍ୱାର ପୌରପାଳିକା ୫ନମ୍ବର ୱାର୍ଡ଼ ବ୍ରାହ୍ମଣସାହିରେ ରହୁଥିବା କଟକ ଜିଲା ଖୁଣ୍ଟୁଣୀ ଥାନା ଅଧିନ ଖଣ୍ଡୁଆଳି ଗ୍ରାମର କାହ୍ନୁ ଚରଣ ମହାନ୍ତି ଓରଫ କାଳିଆ(୩୫) ।


..
ପୁଲିସ୍‌ ସୂଚନା ଅନୁଯାୟୀ ଗ୍ରୀଡ଼ କଲୋନୀରେ ରହୁଥିବା କେନ୍ଦ୍ରାପଡ଼ା ଆଳି ଥାନା ଜୁଆଣିଆଁ ଗ୍ରାମ ନିବାସୀ ବିଷ୍ଣୁ ଚରଣ ସାମଲ ଗତ ୨୦୧୩ ମସିହା ଜୁନ୍‌ ୧୭ ତାରିଖଦିନ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ସଂଜୟ ମହାନ୍ତି ଓ ତା ଭାଇ କାହ୍ନୁ ୧୬ ତାରିଖ ରାତିରେ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ମାରଣାସ୍ତ୍ର ଧରି ବିଷ୍ଣୁଙ୍କ ଗ୍ରୀଡ଼ କଲେନୀ ଘରକୁ ଆସି ବିନା କାରଣରେ ତାଙ୍କ ଝିଅ, ମା ଓ ପରିବାର ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ବିଷ୍ଣୁ ଓ ତାଙ୍କ ପୁଅ ଅଜୟ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ଜୀବନରୁ ମାରିଦେବାକୁ ଉଭୟ ସଂଜୟ ଓ କାହ୍ନୁ ଧମକ ଦେଇଥିଲେ ।

ଏଥିରେ ଉତ୍ୟକ୍ତ ହୋଇ ଅଜୟ ସେମାନଙ୍କୁ ଘଉଡ଼େଇବାକୁ ଚେଷ୍ଟା କରୁଥିବାବେଳେ କଲୋନୀର ଅନତି ଦୂରରେ ସଂଜୟ ଓ କାଳିଆ ଅଜୟ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ । ଗୁଳି ମାଡ଼ରେ ଅଜୟ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ବଞ୍ଚି ଯାଇଥିଲେ । ଘଟଣାରେ ସମ୍ପୃକ୍ତ ସଂଜୟ ପୂର୍ବରୁ କୋର୍ଟରେ ଆତ୍ମ ସମର୍ପଣ କରିଥିବାବେଳେ କାଳିଆ ଦୀର୍ଘଦିନ ହେଲା ଫେରାର ଥିଲା ।ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ କରିବା ସହିତ ଦୀର୍ଘ ୯ବର୍ଷ ପରେ କାଳିଆକୁ ଧରିବାରେ ସଫଳ ହୋଇଛି ।

Comments are closed.