ଚୌଦ୍ୱାର ରୂପଯାତ୍ରା ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ଓ ମେଲଣ ଉତ୍ସବକୁ କରୋନା କଟକଣାରେ ଆୟୋଜନ କରିବା ପାଇଁ ଚୌଦ୍ୱାର ଦଶହରା ପୁଜା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ପୁଜା କମିଟି ସଭାପତି ସୁବୋଧ କୁମାର ନାୟକଙ୍କ ତତ୍ୱାବଧାନରେ ପୁଜା କମିଟି ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ,ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଚୌଦ୍ୱାର ଥାନା ଅଇଆଇସି ବିରଞ୍ଚି ନାରାୟଣ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷ ପୁଜାକୁ କରୋନା କଟକଣା ନିୟମ ପାଳନ ସହିତ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ କର୍ମକର୍ତ୍ତା ମାନଙ୍କୁ ନିବେଦନ କରିଥିଲେ। ଆଦାୟ କରାଯାଉଥିବା ପୂଜା ଚାନ୍ଦା ଉପରେ ଲାଗିଥିବା କଟକଣାକୁ କଢ଼ାକଢ଼ି ଭାବେ ପାଳନ କରିବାକୁ ପୂଜା କମିଟି ମାନଙ୍କୁ ପରାମର୍ଶ ଦେଇ ଏହା ଉପରେ ବିଶେଷ ଭାବେ ନଜର ରଖାଯିବ ବୋଲି ଆଇଆଇସି ସୂଚନା ଦେଇଥିଲେ।

ଏଥି ସହିତ କରୋନା ନିୟମାବଳିକୁ କଡାକଡି ଭାବେ ପାଳନ କରିବାକୁ ମେଢ଼ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ପୁଜାରେ ପୌରପାଳିକା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ଚୌଦ୍ୱାର ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପରେ ପୁଜା ପାଉଥିବା ଦେବାଦେବୀ ମାନେ ଚଳିତ ମାସ ୨୩ତାରିଖରେ ମଣ୍ଡପ ଛାଡି ବିନା ଶୋଭାଯାତ୍ରାରେ ରୂପଯାତ୍ରା ପଡିଆରେ ପହଞ୍ଚି ଯାତ୍ରା କମିଟି ଠାରୁ ଛନ୍ଦାଭୋଗ ନେଇ ବିସର୍ଜନ ପାଇଁ ପ୍ରସ୍ତାନ କରିବା ପାଇଁ କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି।ଗତବର୍ଷ ଭଳି ଚଳିତ ବର୍ଷ ଯାତ୍ରାରେ ଜନ ସମାଗମକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। କମିଟି ସଂପାଦକ ନାରାୟଣ ସ୍ୱାଇଁ ବାର୍ଷିକ ବିବରଣି ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ରମେଶ ଚନ୍ଦ୍ର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ଚୌଦ୍ୱାର ପୌରପାଳିକା ଓ ଆଖପାଖରେ ମଣ୍ଡପ ମାନଙ୍କରେ ନିର୍ମିତ ହେଉଥିବା ୪୦ଖଣ୍ଟ ମେଢ ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ।

Comments are closed.