ଚୌଦ୍ୱାରରେ ନିରାଡ଼ମ୍ବରରେ ଶନିଯାତ୍ରା ଅନୁଷ୍ଠିତ

ଚୌଦ୍ୱାର: ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମ ଦିବସରେ ବିଭିନ୍ନ ମନ୍ଦିରରେ ବିନା ଭକ୍ତରେ ଜଳଲାଗି ଓ ଶନିଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣା ହେତୁ ମନ୍ଦିର ଗୁଡ଼ିକରେ ଭକ୍ତ ସମାଗମକୁ ବାରଣ କରାଯାଇଥବାରୁ ମାନସିକଧାରୀ ମାନେ ଶନିଦେବଙ୍କ ଶକ୍ତିରେ ଜଳଲାଗି କରିବାରୁ ବଞ୍ଚିତ ହୋଇଛନ୍ତି। କେବଳ ପରମ୍ପରାକୁ ରକ୍ଷା କରାଯାଇ ମନ୍ଦିର ପୂଜକ ମାନେ ଭକ୍ତମାନଙ୍କ ପଇଁ ଦେବଙ୍କ ପାଖରେ ଜଳଲାଗି କରିଛନ୍ତି। ଚୌଦ୍ୱାର କଳିଙ୍ଗ ଛକ, ବେଉରାସାହି, ନବଗ୍ରହସାହି,ହିଙ୍ଗୁଳାଇସାହି ଲଞ୍ଚ ଘାଟ,୧୭ ନମ୍ବର ୱାର୍ଡ଼ ବଙ୍ଗାଳିସାହି ଆଦିରେ ଥିବା ଶନି ମନ୍ଦିର ଗୁଡ଼ିକରେ ଶନିଯାତ୍ରା , ଜଳଲାଗି ଓ ଦିଅଁପୂଜା ପ୍ରତୀକାତ୍ମକ ଭାବେ ଅନୁଷ୍ଠିତ ହୋଇ ଯାଇଛି।

ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ମାଗୁରା ପଞ୍ଚାୟତର ଅଡ଼ମ୍ବରୁସ୍ଥିତ ବହୁ ପୁରାତନ ତଥା ପ୍ରସିଦ୍ଧ ଶନି ପୀଠରେ ୧୪୪ ଧାରା ଜାରୀ କରାଯାଇଛି।ଟାଙ୍ଗୀ ପୁଲିସ ପୀଠ ନିକଟରେ ଜଗି ରହିଥିବାରୁ ମାନସିକଧାରୀ ମାନେ ପୀଠ ପରିସର ବାହାରେ ଜଳଲାଗି କରି ବହାରୁ ମୁଣ୍ଡିଆ ମାରି ଫେରି ଯାଉଥିବା ଦେଖିବାକୁ ମିଳିଛି।ସେହିପରି ଚାଞ୍ଚା ଗ୍ରାମସ୍ଥିତ ଶନି ମନ୍ଦିର ମଧ୍ୟ ଭକ୍ତଶୂନ୍ୟ ହୋଇ ପଡ଼ିଛି। କେବଳ ବିଧି ରକ୍ଷାପାଇଁ ପୂଜକ ହୋମକର୍ମ ଓ ପୂଜାକର୍ମ ସମାପନ କରିଥିଲେ।

Comments are closed.