ମା’ ଧୂମାବତୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଚୌଦ୍ୱାର: ଚୌଦ୍ୱାର ଉପକଣ୍ଠରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ପ୍ରତିଷ୍ଠିତ ପଶ୍ଚିମ ଗଡ଼ଚଣ୍ଡୀ ମା’ ଧୂମାବତୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଚାରିିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ମନ୍ଦିର ରତ୍ନମୁଦ, ଅଙ୍କୁରାରୋପଣ, ଧାନ୍ୟାଧିବାସ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂଜକ ପଣ୍ଡିତ ଲୋକନାଥ ମିଶ୍ର ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟବୃନ୍ଦ କୋଭିଡ଼ କଟକଣା ଭିତରେ ଏହି ଆଧ୍ୟାତ୍ମିକ ଉପଚାର ସମ୍ପନ୍ନ କରିଥିଲେ।

ବୁଧବାର ଜଳସାଧି ଅର୍ଜନ, ମଣ୍ଡଳାଦି ପୂଜନ, ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ, ଚଣ୍ଡିପାଠ, ଗୁରୁବାର ଦିନ ସୂର୍ଯ୍ୟପୂଜା, ଗୋପୂଜନ, ବିଗ୍ରହ ସଂସ୍କାର ନୀତି, ଜୀବନ୍ୟାସ, ଶୁକ୍ରବାର ଦିନ ଚଣ୍ଡି ଆହୁତି, ମନ୍ଦିର ପ୍ରତିଷ୍ଠା, ନବଶିଳା ସ୍ଥାପନ, ଧ୍ବଜା ଉତ୍ତୋଳନ, ପୂର୍ଣ୍ଣାହୁତି ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଣ୍ଡିତ ତ୍ରିନାଥ ମିଶ୍ରଙ୍କ ସମେତ ପରିଚାଳନା କମିଟି ସୁତ୍ରରୁ ପ୍ରକାଶ।

Comments are closed.