ବାମପନ୍ଥୀ ନେତାଙ୍କ ବିୟୋଗରେ ଶୋକ

ଚୌଦ୍ୱାର: ବରିଷ୍ଠ ବାମପନ୍ଥୀ ନେତା ଦୀନବନ୍ଧୁ ଗାହାଣ(୭୯)ଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ପାଇ ଅଞ୍ଚଳର ବହୁ କମ୍ୟୁନିଷ୍ଟ ନେତା ଓ କର୍ମୀ, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଶୁଭେଚ୍ଛୁ ତାଙ୍କ ବ୍ରାହ୍ମଣ ସାହିସ୍ଥିତ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମର ଶରୀରରେ ଦଳୀୟ ଲାଲ ପତାକା ପକାଯାଇ ଏକ ଶୋଭାଯାତ୍ରାରେ ନିଆଯାଇ ନିକଟସ୍ଥ ଶ୍ମଶାନରେ ସତ୍କାର କରାଯାଇଥିଲା। ତାଙ୍କ ବଡ଼ପୁଅ ବ୍ରଜବନ୍ଧୁ ମୁଖାଗ୍ନି ଦେଇଥିଲେ। ସିଆଇଟିୟୁର ପୁରୁଖା ନେତା କମ୍ରେଡ଼ ଗାହାଣ ଜନସାଧାରଣଙ୍କ ସମସ୍ୟା ନିରାକରଣ ଦିଗରେ ଆଜୀବନ ସଂଗ୍ରାମ ଚଳାଇ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ଶ୍ରମିକ ନେତା ପିତାମ୍ବର ଲେଙ୍କା, ସିପିଏମ୍‍ ଜିଲା ସମ୍ପାଦକ ବଦ୍ରି ନାରାୟଣ ଦାସ,ଜୟ ସିଂ, ବିଷ୍ଣୁ ଚରଣ ବେହେରା, ଧନେଶ୍ୱର ନାୟକ, ହିନ୍ଦ୍‍ ମଜଦୁର ସଭାର ସଦସ୍ୟ ବଳରାମ ସାହାଣୀ ପ୍ରମୁଖ ସ୍ୱର୍ଗତ ଗାହାଣଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କମ୍ରେଡ଼ଙ୍କ ପରଲୋକରେ ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.