ଚକଲେଟ୍ ବର୍ଷା

କୁଆପଥର ବର୍ଷା, କୌଣସି ଏକ ପ୍ରାନ୍ତରେ ମାଛ ବର୍ଷା ହେବାର ଖବର ପୂର୍ବରୁ ଶୁଣିବାକୁ ମିଳିଛି। ହେଲେ ଚକଲେଟ୍ ବର୍ଷା ଖବରକୁ ନେଇ ଏବେ ସବୁଠାରେ ଚର୍ଚ୍ଚା। ସୁଇଜରଲ୍ୟାଣ୍ଡର ଉତ୍ତର-ପଶ୍ଚିମରେ ଥିବା ଓଲଟେନ୍ ଶିଳ୍ପାଞ୍ଚଳରେ ଚକଲେଟ୍ ପାଉଡର ଗୁଣ୍ଡ ବର୍ଷା ହେଉଥିବାର ପ୍ରକାଶ। ଇଉରୋପୀୟ ଏଇ ସହରରେ ବିଶ୍ବର ସବୁଠୁ ସୁଆଦିଆ ଚକଲେଟ୍‌ ପ୍ରସ୍ତୁତ କରାଯାଏ। ତେବେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ, ଯେତେବେଳେ ସେମାନେ ନିଜ ଘର ବାହାର ଚଟାଣ, କାର୍ ଉପରେ ଚକଲେଟ୍‌ର ପରସ୍ତ ଦେଖିବାକୁ ପାଇଥିଲେ। ସେମାନେ ଜାଣିପାରିଥିଲେ ଯେ ଚକଲେଟ୍ ବର୍ଷା ହେଉଛି। ଓଲଟେନ୍‌ରେ ଥିବା ଲିଣ୍ଡ ଆଣ୍ଡ ସ୍ପ୍ରୁଇଙ୍ଗିଲ୍ ଚକଲେଟ୍ କାରଖାନାରେ ଥିବା କୁଲିଙ୍ଗ୍ ଭେଣ୍ଟିଲେସନ୍ କିଛି ସମୟ ପାଇଁ ଅକାମୀ ହୋଇଯାଇଥିଲା। ଯାହା କାରଣରୁ ଚକୋଲେଟ୍ ଗୁଣ୍ଡ ପାଖଆଖ ଅଞ୍ଚଳରେ ପବନ ସହ ମିଶି ବହିଥିଲା। କେଉଁଠି କାର୍ ଉପରେ, ଘର ବାହାରେ, ଛାତ ଉପରେ, ଝରକା ଉପରେ ଚକଲେଟ୍ ଗୁଣ୍ଡର ପରସ୍ତମାନ ବସିଯାଇଥିଲା। କମ୍ପାନୀ ମୁଖ୍ୟଙ୍କ ମତରେ ଏଇ ଗୁଣ୍ଡ ସ୍ବାସ୍ଥ୍ୟ ପାଇଁ ଆଦୌ ହାନିକାରକ ନୁହେଁ। କାରଖାନାର କୁଲିଙ୍ଗ୍‌ ସିଷ୍ଟମ୍‌କୁ ମଧ୍ୟ ଯଥା ଶୀଘ୍ର ଠିକ୍ କରିବାର ବନ୍ଦୋବସ୍ତ ଚାଲିଛି।

Comments are closed.