ବ୍ରିଟେନ ସଂସଦରେ ଚାଇନାର ମହିଳା ଗୁଇନ୍ଦା ସକ୍ରିୟ

ସତର୍କ କରାଇଲା ବ୍ରିଟେନର ଗୁଇନ୍ଦା ସଂସ୍ଥା ଏମଆଇ୫

ଲଣ୍ଡନ: ବ୍ରିଟେନ ସଂସଦରେ ଚାଇନାର ଜଣେ ମହିଳା ଗୁଇନ୍ଦା ସକ୍ରିୟ ଅଛନ୍ତି । କ୍ରିଷ୍ଟାଇନ ଲି ନାମକ ଏହି ମହିଳା ଜଣକ ଚୀନ କମ୍ୟୁନିଷ୍ଟ ପାର୍ଟ ପକ୍ଷରୁ ସୋଂରେ ରାଜନୈତିକ ହସ୍ତକ୍ଷେପ କରୁଥିବା ସତର୍କ କରାଇଛି ବ୍ରିଟେନର ଗୁଇନ୍ଦା ସଂସ୍ଥା ଏମଆଇ୫ । ଏହା ଗୁରୁବାର ଦିନ ହାଉସ ଅଫ କମନ୍ସରେ ସର୍ବସମ୍ମୁଖକୁ ଅଣାଯାଇଛି । କଞ୍ଜରଭେଟିଭ ପାର୍ଟିର୍ର ଜଣେ ବରିଷ୍ଠ ସାଂସଦ ତଥା ଚୀନର ଜଣେ ଖୋଲାଖୋଲି ସମାଲୋକ ଇଆନ ଡଙ୍କାନ ସ୍ମିଥ ହାଉସ ଅଫ କମନ୍ସର ବାଚସ୍ପତି ସାର୍‍ ଲିଣ୍ଡସେ ହୋୟଲେଙ୍କ ନିକଟକୁ ଏମଆଇ୫ ଦ୍ୱାରା ପଠାଯାଇଥିବା ପତ୍ର ସମ୍ପର୍କରେ ଉଲ୍ଲେଖ କରିଥିଲେ । ସୂଚନାଯୋଗ୍ୟ ଯେ ଚୀନର ଜିନଜିଆଙ୍ଗ ଉଇଗର ସ୍ୱୟଂଶାସିତ ଅଞ୍ଚଳରେ ଉଇଗର ସଂଖ୍ୟାଲଘୁଙ୍କ ପ୍ରତି ଚୀନର ଆଚରଣ ବିରୋଧରେ କହିବାରୁ ଚୀନ ଡଙ୍କାନ ସ୍ମିଥଙ୍କ ବିରୋଧରେ କଟକଣା ଲଗାଇଛି ।
ହାଉସ ଅଫ କମନ୍ସରେ ପ୍ରକାଶ କରି ସ୍ମିଥ କହିଥିଲେ ଯେ ଏମଆଇ୫ କମନ୍ସର ବାଚସ୍ପତିଙ୍କ ସହିତ ଏ ସର୍ମ୍ପକରେ ଆଲୋଚନା କରିଛି । ସଂପ୍ରତି ଏହା ଗୃହର ସଦସ୍ୟମାନଙ୍କୁ ସତର୍କ କରାଇ କହିଛି ଯେ ବ୍ରିଟେନ ସଂସଦରେ ଚୀନ ସରକାରଙ୍କର ଜଣେ ଗୁଇନ୍ଦା ଅଛନ୍ତି, ଯିଏ ସ୍ଥାନୀୟ ଜଣେ ସାଂସଦଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି । ସମୁଦାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ସେ ନିଶ୍ଚତ ଭାବରେ ପ୍ରୟାସ କରୁଥିବା ଏବଂ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି । ଏମଆଇ୫ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ଚୀନର ଗୁଇନ୍ଦା ଲି’ଙ୍କୁ ଆର୍ଥିକ ଅନୁଦାନ ମିଳିବା ପଥକୁ ସୁଗମ କରାଯାଇଛି । ଉକ୍ତ ଅର୍ଥକୁ ସେ ସଂପ୍ରତି ବ୍ରିଟେନରେ ସାଂସଦ ଥିବା ଏବଂ ଆଶାୟୀ ସାଂସଦମାନଙ୍କ ନିମନ୍ତେ ବିନିଯୋଗ କରୁଛନ୍ତି । ଉକ୍ତ ଅର୍ଥ ହଂକଂ ଏବଂ ଚୀନ ପକ୍ଷରୁ ତାଙ୍କୁ ମିଳୁଥିଲେ ମଧ୍ୟ ତାହା କେଉଁ ସୂତ୍ରରୁ ଆସୁଛି ତାହାକୁ ଗୋପନ ରଖାଯାଉଛି । ଲି ଜଣେ ଆଇନଜୀବୀ ଏବଂ ଚୀନ ପାଇଁ ଗୁଇନ୍ଦାଗିରି କରୁଛନ୍ତି ।

Comments are closed.