ପଙ୍ଗପାଳ ଦମନ ପାଇଁ ସହାୟତା : ପାକିସ୍ତାନକୁ ଲକ୍ଷେ ବତକ ପଠାଇବ ଚୀନ

ବେଜିଂ(ପିଟିଆଇ) : ପଙ୍ଗପାଳଙ୍କ ଦ୍ବାରା ଫସଲ କ୍ଷତିକୁ ରୋକିବା ଲାଗି ଚୀନ ସରକାର ପାକିସ୍ତାନକୁ ଏକଲକ୍ଷ ବତକ ପଠାଇବେ। ରିପୋର୍ଟ ଅନୁଯାୟୀ ପଙ୍ଗପାଳ (ଝିଣ୍ଟିକା ଭଳି ଏକ ପ୍ରକାର ପତଙ୍ଗ)ଙ୍କ ଉପଦ୍ରବ କାରଣରୁ ପାକିସ୍ତାନରେ ବ୍ୟାପକ ଫସଲ କ୍ଷତି ହେବାରେ ଲାଗିଛି। ତେଣୁ ଏହି ପଙ୍ଗପାଳଙ୍କୁ ନିପାତ ଲାଗି ଚୀନ ସରକାର ୧ଲକ୍ଷ ବତକ ପଠାଇବେ। ପୂର୍ବାଞ୍ଚଳର ଝେଜିଆଙ୍ଗ ପ୍ରଦେଶରୁ ଏହିସବୁ ବତକଙ୍କୁ ପଠାଯିବ। ପଙ୍ଗପାଳଙ୍କୁ ଦମନ ପାଇଁ ପାକିସ୍ତାନ ସହାୟତା ଲୋଡିଥିଲା। ଚୀନ ପ୍ରଥମେ ଏକ ବିଶେଷଜ୍ଞ ଦଳକୁ ପାକିସ୍ତାନ ପଠାଇ ଏହାର ପ୍ରତିକାର ଉଦ୍ୟମ କରିଥିଲେ; ମାତ୍ର ଏହା ସଫଳ ହୋଇପାରି ନାହିଁ। ତେଣୁ ପଙ୍ଗପାଳଙ୍କୁ ପ୍ରାକୃତିକ ଉପାୟରେ ଦମନ ଲାଗି ଯୋଜନା କରାଯାଇଛି।
ବତକମାନେ ସାଧାରଣତଃ କୀଟ ପତଙ୍ଗଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ୨୦ବର୍ଷ ପୂର୍ବେ ଚୀନର ଝେଜିଆଙ୍ଗ ପ୍ରଦେଶରେ ପଙ୍ଗପାଳଙ୍କ ଉପଦ୍ରବ ଦେଖାଯାଇଥିବା ବେଳେ ଏହାକୁ ଦମନ ପାଇଁ ବତକ ନିୟୋଜନ କରାଯାଇଥିଲା। ଯାହା ବହୁତ ସଫଳ ହୋଇଥିଲା। ପଙ୍ଗପାଳଙ୍କୁ ଦମନ ପାଇଁ କୀଟନାଶକ ପ୍ରୟୋଗ ଦ୍ବାରା ପରିବେଶ ଉପରେ ପ୍ରଭାବ ପଡିବ। ତେଣୁ ବତକଙ୍କୁ ନିୟୋଜନ ଦ୍ବାରା ଏହା ପ୍ରାକୃତିକ ଉପାୟରେ ଦମନ କରାଯାଇପାରିବ। ଝେଜିଆଙ୍ଗ କୃଷି ବୈଷୟିକ ପ୍ରତିଷ୍ଠାନର ଗବେଷକ ଲୁ ଲିଝିଙ୍କ କହିବା ଅନୁଯାୟୀ ବତକଙ୍କ ବ୍ୟତୀତ ଅନ୍ୟ ପକ୍ଷୀ ଯଥା କୁକୁଡାଙ୍କୁ ନିୟୋଜନ ଏ ଦିଗରେ ବିଶେଷ ଫଳପ୍ରଦ ହେବ ନାହିଁ; କାରଣ ବତକମାନେ ସାଧାରଣତଃ ଦଳଗତ ଭାବେ ବିଚରଣ କରିଥାନ୍ତି। ଗୋଟିଏ ବତକ ଦିନକୁ ୨୦୦ ପଙ୍ଗପାଳଙ୍କୁ ଖାଇପାରିବ। ଯେତେବେଳେ କି ଗୋଟିଏ କୁକୁଡା ଦିନକୁ ୭୦ଟି ପଙ୍ଗପାଳ ଖାଇଥାଏ। ପଙ୍ଗପାଳ ଖାଇବା ପରେ ବତକଙ୍କ ମାଂସ ସ୍ବାଦିଷ୍ଟ ହୋଇଥାଏ।

Comments are closed.