କ୍ବାଡ୍‌କୁ ନେଇ ବାଂଲାଦେଶକୁ ଚୀନର ଧମକ

ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତକୁ ନେଇ ଗଠନ ହୋଇଥିବା କ୍ବାଡ୍‌ ଗୋଷ୍ଠ ବିରୋଧରେ ଚୀନର ଆଭିମୁଖ୍ୟ ଦିନକୁ ଦିନ କଠୋର ହେବାରେ ଲାଗିଛି। ଏ​‌ବେ ଚୀନ କ୍ବାଡ୍‌କୁ ନେଇ ବାଂଲାଦେଶକୁ ଧମକ ଦେଇଛି। ଯଦି ବାଂଲାଦେଶ କ୍ବାଡ୍‌ ରାଷ୍ଟ୍ର ସମୂହଙ୍କ ସହିତ ସାମିଲ ହେଉଛି ଅର୍ଥାତ ବାଂଲାଦେଶ ଯଦି କ୍ବାଡ୍‌ରେ କୌଣସି ପ୍ରକାର ଅଂଶୀଦାର ହେବାକୁ ଚିନ୍ତା କରେ ତେବେ ଚୀନ ସହିତ ତା’ର ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବ।

ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଘେ ଗତ ମାସରେ ବାଂଲାଦେଶ ଗସ୍ତ କରିଥିବା ସମୟରେ କ୍ବାଡ୍‌ ବିରୋଧରେ ଏକଜୁଟ୍‌ ହେବାକୁ ଆହ୍ବାନ କରିଥିବାବେଳେ ଏବେ ଚୀନ ରାଷ୍ଟ୍ରଦୂତ ଲି ଜିମିଙ୍ଗ ଉପରୋକ୍ତ ଚେତାବନୀ ଦେଇଛନ୍ତି। ଜିମିଙ୍ଗ ବାଂଲାଦେଶକୁ ସିଧାସଳଖ ଭାବେ କ୍ବାଡ୍‌ ରାଷ୍ଟ୍ର ସମୂହଠାରୁ ଦୂରେଇ ରହିବାକୁ ଚେତାଇଛନ୍ତି। ଯଦି ବାଂଲାଦେଶ କ୍ବାଡ୍‌ ସହିତ ସାମିଲ ହୁଏ, ତେବେ ଚୀନ ସହିତ ତା’ର ଦ୍ବିପାକ୍ଷିକ ସମ୍ପର୍କ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି ଜିମିଙ୍ଗ ମନ୍ତବ୍ୟକୁ ଆଧାର କରି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

କ୍ବାଡ୍‌କୁ ବିରୋଧ କରି ଜିମିଙ୍ଗ କହିଛନ୍ତି, ଆମେ କୌଣସି ରୂପେ କ୍ବାଡ୍‌ ମେଣ୍ଟରେ ବାଂଲାଦେଶର ଭାଗିଦାରି ଚାହୁଁନାହୁଁ। ଏ ନେଇ ଚୀନ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଗତମାସରେ ଗସ୍ତ ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍‌ ହସିନାଙ୍କୁ ବି ଚେତାଇ ଦେଇଥିଲେ।

ତେବେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ଶକ୍ତି ବୃଦ୍ଧି ସହିତ କ୍ବାଡ୍‌ ଦେଶଗୁଡ଼ିକ ବିରୋଧରେ ନିଜର ପଡ଼ୋଶୀଙ୍କୁ ଏକଜୁଟ କରିବା ଲାଗି ଚୀନ ଉଦ୍ୟମ ଚଳାଇଛି। ଗତ ସପ୍ତାହରେ ଚୀନ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ସହିତ କରୋନା ଏବଂ ଟିକାକରଣକୁ ନେଇ ଭର୍ଚୁଆଲ ମିଟିଂ କରିଥିଲା।

Comments are closed.