ତାଇୱାନ ଆକାଶ ସୀମା ଲଂଘିଲା ଚୀନ ଯୁଦ୍ଧବିମାନ

ତାଇପେ: ତାଇୱାନର ଆକାଶ ସୀମା ଲଂଘନ କରି ଚୀନ ଯୁଦ୍ଧବିମାନ ତାଇୱାନ ମଧ୍ୟରେ ପ୍ରବେଶ କରିଛି। ଏହି ଘଟଣା ଘଟିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଅଧିକ ବୃଦ୍ଧିପାଇଇଚି। ଗତବର୍ଷ ସେପ୍ଟେମ୍ବର ମଧ୍ୟଭାଗରୁ ଚୀନର ଯୁଦ୍ଧ ବିମାନଗୁଡିକ ଏହିଭଳି ବାରମ୍ବାର ତାଇୱାନ ଆକାଶ ସୀମା ଲଂଘନ କରୁଥିବାବେଳେ ତାଇୱାନର ଲଢୁଆ ବିମାନଗୁଡିକ ସେମାନଙ୍କୁ ଘଉଡାଇବାରେ ଲାଗିଛନ୍ତି। ଗୁରୁବାର ସକାଳେ ଚାଇନା ଲିବରେସନ ଆର୍ମି ଏୟାର ଫୋର୍ସର ଗୋଟିଏ ୱାଇ-୮ ଇଲେକଟ୍ରୋନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ବିମାନ ତାଇୱାନର ଦକ୍ଷିଣ ପଶ୍ଚିମକୁ ଏହାର ଆକାଶ ସୀମା ମଧ୍ୟକୁ ପ୍ରବେଶ କରିଥିବା କହିଛି ତାଇୱାନ ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଚଳିତ ମାସରେ ଏହା ଚାଇନା ଯୁଦ୍ଧ ବିମାନର ପ୍ରଥମ ଅନୁପ୍ରବେଶ ହୋଇଛି। ଗତ ମଇ ମାସରେ ଚୀନର ବିମାନଗୁଡିକ ବାରମ୍ବାର ଏହିଭଳି ତାଇୱାନ ସୀମା ଅତିକ୍ରମ କରିବା ଉଦ୍ୟମ କରିଥିବାବେଳେ ତାଇୱାନ ପକ୍ଷରୁ ୨୯ଟି ଚାଇନା ଯୁଦ୍ଧ ବିମାନ ଉପରେ ଆକ୍ରମଣ କରାଯାଇଥିବା ଜଣାଯାଇଛି। ସେଥିମଧ୍ୟରୁ ମନ୍ଥର ଗତିରେ ଉଡୁଥିବା ୨୫ଟି ଟର୍ବୋପ୍ରପ୍‍, ଦୁଇଟି ଲଢୁଆ ବୋମାବର୍ଷୀ ଏବଂ ଦୁଇଟି ଲଢୁଆ ଜେଟ୍‍ରହିଥିବା ତାଇୱାନ ନ୍ୟୁଜ ପକ୍ଷରୁ କୁହାଯାଇଛି। ଗତ କିଛିମାସ ହେଲା ଚୀନର ବିମାନଗୁଡିକ ପ୍ରାୟତଃ ପ୍ରତିଦିନ ଏହିଭଳି ଭାବରେ ତାଇୱାନ ଆକାଶ ସୀମା ବାରମ୍ବାର ଉଲ୍ଲଂଘନ କରୁଥିବା ଜଣାଯାଇଛି। ତାଇୱାନ ଉପରେ ଚୀନ ତାହାର ଅଧିକାର ସାବ୍ୟସ୍ତ କରୁଥିବାବେଳେ ଚୀନର ମୁକାବିଲା କରିବାକୁ ତାଇୱାନ ସରକାର ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡିକ ସହିତ ସାମରିକ ସମ୍ପର୍କରେ ବୃଦ୍ଧି ଘଟାଇବାରେ ଲାଗିଛନ୍ତି। ଏହାକୁ ଚୀନ ଦୃଢ ବିରୋଧ କରୁଛି।

Comments are closed.