୨୦ ଭାରତୀୟ ସେନା ସହିଦ; ୪୩ ଚୀନ ଯବାନ ମୃତାହତ ସୂଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୋମବାର ରାତିରେ ସଂଘର୍ଷରେ ପ୍ରଥମେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ସେହିପରି ୪ରୁ ୫ ଜଣ ଚୀନ ସେନା ମଧ୍ୟ ଏହି ଗଣ୍ଡଗୋଳରେ ମୃତ୍ୟୁବରଣ କରିଥିଲେ ।  ମାତ୍ର ଏହି ସଂଖ୍ୟା କଥିତ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ବୋଲି ସୂଚନା ମିଳିଛି । ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂଚନା ଅନୁସାରେ ଭାରତ ପକ୍ଷରୁ ୨୦ ଜଣଙ୍କର ମୃତ୍ୟୁଘଟିଛି ଓ ଚୀନ ପକ୍ଷରୁ ୪୩ ଜଣ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି ।

ସୋବବାର ରାତିରେ ପୂର୍ବ ଲାଦାଖର ଗଲଭାନ ଘାଟିରେ ଦୁଇ ସେନା ମଧ୍ୟରେ ହିଂସ୍ର ଗଣ୍ଡଗୋଳ ଘଟିଥିଲା । ଗତ ମେ ପ୍ରଥମ ସପ୍ତାହରୁ ଚୀନର ପିପୁଲ୍ସ ଲିବରେସନ ଆର୍ମୀ (ପିଏଲ୍ଏ) ଅନୁପ୍ରବେଶ କରିବା ପରେ ଭାରତ ପକ୍ଷରୁ ସେନା ମୁତୟନ କରାଯାଇଥିଲା । ଗଲଭାନ ଘାଟିରେ ଏହି ଉତ୍ତେଜନା ସୋମବାର ରାତିରେ ଚରମସୀମାରେ ପହଞ୍ଚିଥିଲା । ଏବଂ ଦୁଇ ସେନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଚୀନର ୪୩ ଜଣ ମୃତାହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ସୋମବାର ରାତିରେ ଭାରତୀୟ ସେନା ସହ ଚୀନ ସେନା ମୁହାଁମୁହିଁ ହୋଇଥିବା ସ୍ବୀକାର କରିଥିଲେ ହେଁ ଘଟଣାରେ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । ଚୀନର ପ୍ରମୁଖ ସମ୍ବାଦପତ୍ର ପିପୁଲ୍ସ ଡ଼େଲି ଚୀନ ବିଦେଶ ବିଭାଗ ମୁଖପାତ୍ରଙ୍କ ତଥ୍ୟକୁ ଟ୍ବିଟ୍ କରିଛି ।

ଅନ୍ୟପକ୍ଷରେ ଚୀନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଚୀନ ସରକାର ଭାରତ ସହ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନାକରିବାକୁ ଚାହୁଁଛନ୍ତି ବୋଲି ପ୍ରକାଶ ପାଇଛି ।

Comments are closed.