କରୋନା ଅପଡେଟ – ଚୀନ୍‍ରୁ ଭାରତ ଗସ୍ତ ପାଇଁ ଇ-ଭିସା ବାତିଲ

ସମାଜ ପୋର୍ଟାଲ ଡେସ୍କ: ସରକାର କରୋନା ଭୂତାଣୁ ବ୍ୟାପିଥିବା ଚୀନ୍‍ର ୬୪୭ ଜଣ ଭାରତୀୟ ନାଗରିକ ଓ ୭ ଜଣ ମାଳଦୀପ ନାଗରିକଙ୍କୁ ଦୁଇଟି ବିମାନରେ ଆଣିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଏହା ଏକ ଅତ୍ୟନ୍ତ ଜଟିଳ କାର୍ଯ୍ୟ ଥିଲା ଓ ଏହି କାର୍ଯ୍ୟରେ ଚୀନ୍‍ ସରକାର ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଆଉ ୧୦ ଜଣ ଭାରତୀୟ ଚୀନରୁ ସ୍ୱଦେଶ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ସେମାନେ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ କୃତକାର୍ଯ୍ୟ ହୋଇପାରି ନଥିଲେ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିଆସୁଛି ଓ ସେମାନଙ୍କୁ କିଭଳି ଦେଶକୁ ଅଣାଯାଇ ପାରିବ ସେ ବିଷୟରେ ଯୋଜନା କରାଯାଉଛି। ଚୀନ୍‍କୁ ଗସ୍ତ ନ କରିବା ପାଇଁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ଓ ଯେଉଁମାନେ ଚୀନ୍‍ ଯାଇଛନ୍ତି ସେମାନେ ଫେରିବା ପରେ ସେମାନଙ୍କୁ ପୃଥକ କରି ରଖାଯାଇ ଯାଞ୍ଚ କରାଯିବ। ଚୀନ୍‍ରୁ ଭାରତକୁ  ଗସ୍ତ ପାଇଁ ଇ-ଭିସାକୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି। ୱୁହାନରେ ଥିବା ଜଣେ ପାକିସ୍ତାନୀ ଛାତ୍ର ସେଠାରୁ ଆସିବା ପାଇଁ କରିଥିବା ଅନୁରୋଧ ଉପରେ ଭାରତ ବିଚାର କରିବ କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପାକିସ୍ତାନ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଅନୁରୋଧ କରାଯାଇନାହିଁ।

ସେ କହିଛନ୍ତି, ଯଦି ଏଭଳି ପରିସ୍ଥିତି ଆସେ ତେବେ ସୁବିଧା ଅନୁସାରେ ଭାରତ ଏହା ଉପରେ ବିଚାର କରିବ। ପାକିସ୍ତାନ-ମାଲେସିଆ ମିଳିତ ବିବୃତ୍ତିରେ ଜାମ୍ମୁ କାଶ୍ମୀର ବିଷୟ ଉଲ୍ଲେଖ କରାଯାଇଥିବା ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଭାରତ ଏହି ମନ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି, ଜାମ୍ମୁ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ। ମାଲେସିଆ ସରକାର ତଥ୍ୟ ଉପରେ ଜ୍ଞାତ ରହିବାକୁ ଦର୍ଶାଇ ସେ କହିଛନ୍ତି, ପାକିସ୍ତାନ ଆନ୍ତର୍ଜାତିକ ଆତଙ୍କବାଦର କେନ୍ଦ୍ରସ୍ଥଳୀ ରହିଛି ଓ ଆତଙ୍କବାଦୀମାନଙ୍କୁ ନିଯୁକ୍ତି ଦେବା, ତାଲିମ ଦେବା, ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଭାରତ ବିରୁଦ୍ଧରେ ସୀମାପାର ଆତଙ୍କବାଦୀ କାର୍ଯ୍ୟ କରିବାରେ ସର୍ବଦା ଲିପ୍ତ ରହିଛି।

Comments are closed.