ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ଚୀନର ମହାକାଶ କେନ୍ଦ୍ର

ବେଜିଂ: ଚୀନର ମହାକାଶ କେନ୍ଦ୍ର ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେବା ସହିତ କାର୍ଯ୍ୟକ୍ଷମ ହେବ । ରୁଷିଆ ପକ୍ଷରୁ ନିର୍ମିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ) ବିଶ୍ୱର ଏକାଧିକ ରାଷ୍ଟ୍ରଙ୍କ ସହଯୋଗରେ ନିର୍ମାଣ କରାଯାଇଥିବାବେଳେ ଚୀନର ଏହି ମହାକାଶ କେନ୍ଦ୍ର ତାହାର ସମ୍ପୂର୍ଣ୍ଣ ନିଜସ୍ୱ ହେବ ଏବଂ ଏଭଳି କରିବାରେ ଚୀନ ବିଶ୍ୱର ଏକମାତ୍ର ରାଷ୍ଟ୍ର ହେବ । ବେଜିଂ ପକ୍ଷରୁ କୁହାଯାଇଛି ଯେ ଏହି ମହାକାଶ କେନ୍ଦ୍ର ଚୀନ ପାଇଁ ମହାକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ରଣକୌଶଳାତ୍ମକ ସମ୍ପତ୍ତି ହେବ । କାର୍ଯ୍ୟକ୍ଷମ ହେଲେ ଏହା ସାରା ବିଶ୍ୱ ଉପରେ ଶିକାରୀ ପକ୍ଷୀ ଭଳି ସତର୍କ ଦୃଷ୍ଟି ରଖିପାରିବ ।
ବୁଧବାର ଚାଇନା ଏରୋସ୍ପେଶ ସାଇନ୍ସ ଆଣ୍ଡ ଟେକନୋଲୋଜି କର୍ପୋରେସନ (ସିଏଏସଟିସି) ପକ୍ଷରୁ କୁହାଯାଇଛି ଯେ ଚୀନ ୨୦୨୨ରେ ଏହି ମହାକାଶ କେନ୍ଦ୍ର ନିର୍ମାଣ ଶେଷ କରିବ । ଚୀନର ମହାକାଶ କେନ୍ଦ୍ର (ସିଏସଏସ) ରୁଷ ପକ୍ଷରୁ ନିର୍ମିତ ଆଇଏସଏସର ଏକ ପ୍ରତିଦ୍ୱନ୍ଦ୍ୱୀ ହେବା ଆଶା କରାଯାଉଛି । ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ, ସିଏସଏସ ଏକମାତ୍ର ମହାକାଶ କେନ୍ଦ୍ର ଭାବରେ ଆଗାମୀ ବର୍ଷଗୁଡିକରେ ଏହାର କକ୍ଷପଥରେ ରହିବ । କାରଣ ଆଇଏସଏସର କାର୍ଯ୍ୟକାଳ ଶେଷ ହୋଇଆସୁଛି । ସଂପ୍ରତି ତିନିଜଣ ମହାକାଶଚାରୀ ଚୀନ ପକ୍ଷରୁ ମହାକାଶରେ ଏକ କକ୍ଷପଥରେ ଦେଶର ମହାକାଶ କେନ୍ଦ୍ର ନିର୍ମାଣରେ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମହାକାଶ ବିଜ୍ଞାନୀ ମଧ୍ୟ ହିଛନ୍ତି । ପୂର୍ବରୁ ଆମେରିକା ସିଏସଏସର ବିଶାଳକାୟ ରୋବୋଟ ହାତକୁ ନେଇ ଚିନ୍ତା ପ୍ରକଟ କରିଥିଲା । କାରଣ ଏହା ମହାକାଶରୁ ବିଭିନ୍ନ ସାମଗ୍ରୀକୁ ଧରିନେବାରେ ସଫଳ ହେବ ବୋଲି ଆମେରିକା କହିଥିଲା । ଉକ୍ତ ରୋବୋଟ ହାତକୁ ଗୁରୁବାର ଦିନ ପରୀକ୍ଷଣ କରାଯାଇଥିଲା ଏବଂ ତାହା ସଫଳତାର ସହିତ ୨୦ ଟନ ତିଆନଝୁ-୨ ପଣ୍ୟବାହୀ ଜାହାଜକୁ କାବୁ କରିନେଇ ତାହାକୁ ସିଏସଏସର ମୂଳ ଢାଞ୍ଚାରୁ ପୃଥକ କରିବା ପରେ ଅନ୍ୟଏକ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲା । ୧୦ ମିଟର ଲମ୍ବ ରୋବୋଟିକ ହାତର ଏହା ପ୍ରଥମ ପରୀକ୍ଷଣ ଥିଲା ।
ଏହାର ସଫଳତା ପରବର୍ତ୍ତୀ ପର୍ଯ୍ୟାୟରେ ମହାକାଶ କେନ୍ଦ୍ର ନିର୍ମାଣର ଅବଶିଷ୍ଟ କାର୍ଯ୍ୟ ପାଇଁ ପଥ ପରିଷ୍କାର କରିଛି । ସଂପ୍ରତି ଅସମାପ୍ତ ଏହି ମହାକାଶ କେନ୍ଦ୍ର ତିଆନେ ମୂଳ ମଡ୍ୟୁଲ, ତିଆନଝୁ-୨ ଏବଂ ତିଆନଝୁ-୩ ପଣ୍ୟବାହୀ ମହାକାଶ ଯାନ ଏବଂ ଶେନ୍‍ଝୁ-୧୩ ମହାକାଶ ଯାନକୁ ନେଇ ଚାଲିଛି । ନିକଟରେ ଆମେରିକାର ଅରବପତି ଏଲନ ମସ୍କଙ୍କ ସ୍ପେଶଏକ୍ସ ଷ୍ଟାରଲିଙ୍କ ଉପଗ୍ରହ ମହାକାଶରେ ଚୀନର ନିର୍ମାଣାଧୀନ ମହାକାଶ କେନ୍ଦ୍ର ନିକଟ ଦେଇ ଗତିକରିବା ଦ୍ୱାରା ଏହାର ମହାକାଶଚାରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ଚୀନ ଜାତିସଂଘରେ ଅଭିଯୋଗ କରିଥିଲା । ଚଳିତ ବର୍ଷ ଚୀନ ପ୍ରାୟ ୪୦ରୁ ଅଧିକ ମହାକାଶ ଉତକ୍ଷେପଣ କରିବ ବୋଲି ମଧ୍ୟ ଜଣାଯାଇଛି । ସେଥିମଧ୍ୟରେ ମାନବ ଥିବା ମହାକାଶଯାନ ଅନ୍ତର୍ଭୁକ୍ତ । ଏଥିସହିତ ଚୀନ ମହାକାଶକୁ ଦୁଇଟି ପଣ୍ୟବାହୀ ଯାନ ପଠାଇବାକୁ ଯୋଜନା କରିଛି । ତାହାସହିତ ଏହା ଦୁଇଟି ଲାବୋରେଟୋରୀ ମଧ୍ୟ ପଠାଇବ, ଯାହା ମହାକାଶ କେନ୍ଦ୍ର ସହିତ ସଂଯୁକ୍ତ ହେବ ।

Comments are closed.