ପାକିସ୍ତାନକୁ ସହାୟତା ନ କରୁ ଚୀନ୍‍ – ରବିଶ କୁମାର

ନୂଆଦିଲ୍ଲୀ: ଚୀନ୍‍କୁ ଆନ୍ତର୍ଜାତିକ ସହମତି ସହ ଏକମତ ହେବାକୁ ପଡ଼ିବ ଓ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ସ୍ତରରେ ଉତ୍ଥାପନ କରିବା ପାଇଁ ପାକିସ୍ତାନକୁ ସହାୟତା କରିବାରୁ ନିବୃତ୍ତ ରହିବାକୁ ହେବ ବୋଲି ଭାରତ ମତ ପୋଷଣ କରିଛି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଜାତିସଂଘ ନିରାପତ୍ତା ପରିଷଦ ଭଳି ମଞ୍ଚର ଅପବ୍ୟବହାର କରିବା ପାଇଁ ପାକିସ୍ତାନ ଚୀନ୍‍ ମାଧ୍ୟମରେ ଏକ ବ୍ୟର୍ଥ ଉଦ୍ୟମ କରିଛି। ସେ କହିଛନ୍ତି, ଜାତିସଂଘ ନିରାପତ୍ତା ପରିଷଦରେ ଏ ପ୍ରସଙ୍ଗ ଉତ୍ଥାପନ ପାଇଁ ଏହା ଉପଯୁକ୍ତ ମଞ୍ଚ ନୁହେଁ ବୋଲି ସର୍ବସମ୍ମତ ରାୟ ପ୍ରକାଶ ପାଇବା ପରେ ପାକିସ୍ତାନର ଅସଲ ସ୍ୱରୂପ ଧରା ପଡ଼ିଥିଲା। ଜାତିସଂଘ ନିରାପତ୍ତା ପରିଷଦରେ ଏହା ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ଓ ଏହାର ଦୁଇଦେଶ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ଉଚିତ୍‍ ବୋଲି ମତ ପ୍ରକାଶ ପାଇଥିଲା।

ସେହି ବୈଠକ କୌଣସି ଫଳ ବିନା ସମାପ୍ତ ହୋଇଥିଲା। ରବିଶ କୁମାର କହିଛନ୍ତି, ପାକିସ୍ତାନ ବିଶ୍ୱସନୀୟତା ହରାଇଥିବାରୁ ଭାରତ ବିରୁଦ୍ଧରେ ଏହାର କୂଟଚକ୍ରାନ୍ତ ସଫଳ ହୋଇପାରି ନଥିଲା ଓ ତାହାର ଉଦ୍ୟମ ବ୍ୟର୍ଥ ହୋଇଯାଇଥିଲା। ସେ କହିଛନ୍ତି, ପାକିସ୍ତାନ ପାଇଁ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସବୁଠୁ ଶ୍ରେୟସ୍କର ହେବ। ପାକିସ୍ତାନ କ୍ରମାଗତ ଭାବେ ଜାତିସଂଘ ନିରାପତ୍ତା ପରିଷଦରେ ଚୀନ୍‍ ସହାୟତାରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାକୁ ପ୍ରଚେଷ୍ଟା କରିଆସୁଛି, କିନ୍ତୁ ଏହାକୁ କୌଣସି ଆନ୍ତର୍ଜାତିକ ସମର୍ଥନ ନ ମିଳିବା ଯୋଗୁଁ ଏ କ୍ଷେତ୍ରରେ ସେ ସଫଳ ହୋଇପାରୁ ନାହିଁ। ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦର କୌଣସି ସଦସ୍ୟ ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗକୁ ସମର୍ଥନ ନ କରିବା ଯୋଗୁଁ ପାକିସ୍ତାନର ସର୍ବଶେଷ ଉଦ୍ୟମ ବ୍ୟର୍ଥ ହୋଇଛି ବୋଲି ମୁଖପାତ୍ର କହିଛନ୍ତି।

Comments are closed.