ଚୀନରେ ପୁଣି ବଢିଲା କରୋନା; ବିମାନ ବାତିଲ, ବିଦ୍ୟାଳୟ ବନ୍ଦ

ବେଜିଂ: ଚୀନରେ କରୋନା ସଂକ୍ରମଣରେ ସାନି ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଦେଶର ବିଭିନ୍ନ ଭାଗରେ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯିବା ସହିତ ଶତାଧିକ ବିମାନ ଉଡାଣକୁ ବାତିଲ କରିଦିଆଯାଇଛି । ଏଥିସହିତ କୋଭିଡ ନମୁନା ପରୀକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । କୋଭିଡ ଜନିତ ମୃତ୍ୟୁ ଘଟଣା ହ୍ରାସ ପାଇବାପରେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଗୁଡିକ ଲାଗୁ କରିଥିବା କଟକଣା କୋହଳ କରୁଥିବାବେଳେ ଚୀନ ତାହାର କରୋନା ମୁକାବିଲା ନୀତିକୁ କଡାକଡି ଭାବରେ ପାଳନ କରୁଛି । ଏହା ନିଜର ସୀମାନ୍ତକୁ ବନ୍ଦ କରିବା ସହିତ ଅଧିକ ସଂକ୍ରମଣ ଥିବା ଅଞ୍ଚଳରେ ତାଲାବନ୍ଦ ଜାରି ରଖିଛି । ଚୀନ ସରକାର ଦେଶରେ ଥିବା ଅନେକ ଅନେକ ଦର୍ଶନୀୟ ସ୍ଥାନ, ଆମୋଦ ପ୍ରମୋଦ ସ୍ଥଳ, ବିଦ୍ୟାଳୟ ଆଦିକୁ ବନ୍ଦ କରିଦେବା ସହିତ ସଂକ୍ରମଣ ଚିହ୍ନଟ କରାଯାଉଥିବା ଅଞ୍ଚଳରେ ତାଲାବନ୍ଦ ଲାଗୁ କରାଯାଉଛି । ଏପରିକି ସାଧାରଣ ନାଗରିକମାନେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Comments are closed.