କରୋନା ଖବର ପରିବେଷଣ ଯୋଗୁଁ କାରାଦଣ୍ଡ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଚୀନ୍‌ ସାମ୍ବାଦିକା

ବେଜିଂ: ଉହାନ୍‌ରୁ କରୋନା ଭୂତାଣୁର ଉତ୍ପତି ସମ୍ପର୍କରେ ଖବର ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ଚୀନ୍‌ର ମହିଳା ସାମ୍ବାଦିକ ଝାଙ୍ଗ ଝାନ୍‌ ଏବେ ମୃତ କି ଜୀବିତ ତାହା ସ୍ପଷ୍ଟ ହେଉ ନାହିଁ। ୨୦୨୦ ମେ’ରୁ ବନ୍ଦୀ ଥିବା ଝାନ୍‌ଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଛି। ଅନ୍ୟ ଖବର ଅନୁସାରେ ୩୮ବର୍ଷୀୟା ଝାନ୍‌ କାରାଗାରରେ ଆମରଣ ଅନଶନ କରୁଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଂକଟଜନକ ରହିଛି। ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ସଦସ୍ୟମାନେ ଝାନ୍‌ଙ୍କ ଜୀବନ ନେଇ ସଂଶୟରେ ରହିଛନ୍ତି। ତାଙ୍କର ମୃତ୍ୟୁ ହୋଇଥାଇପାରେ କିମ୍ବା ଏହା ଆବଶ୍ୟମ୍ଭାବୀ ବୋଲି କହିଛନ୍ତି ଝାନ୍‌ଙ୍କ ଭାଇ ଝାଙ୍ଗ ଝୁ।

ଅନଶନ ଯୋଗୁଁ ତାଙ୍କର ସ୍ବାସ୍ଥ୍ୟ କ୍ଷୀଣ ହୋଇଯାଇଥିଲା। ତାଙ୍କୁ ବଳପୂର୍ବକ ନାକ ବାଟେ ଖାଦ୍ୟ ଦିଆଯାଉଥିଲା ବୋଲି ଝାନ୍‌ଙ୍କ ଓକିଲଙ୍କ ଉକ୍ତିକୁ ଉଦ୍ଧାର କରି ଭାଇ କହିଛନ୍ତି; କିନ୍ତୁ ବର୍ତ୍ତମାନ ଅବସ୍ଥା କ’ଣ ତାହା ଜଣା ପଡ଼ୁ ନଥିବା ସେ କହିଛନ୍ତି। କିଛି ଦିନ ପୂର୍ବରୁ ସେ ଶଯ୍ୟାରୁ ଉଠିପାରୁ ନ ଥିବାବେଳେ ମୁଣ୍ଡ ମଧ୍ୟ ଉଠାଇପାରୁ ନ ଥିଲେ। ଝାନ୍‌ଙ୍କ ସହିତ କାହାକୁ ସାକ୍ଷାତ୍‌ ସୁଯୋଗ ମିଳୁ ନ ଥିବାରୁ ପ୍ରକୃତ ଖବର ଜଣାପଡ଼ୁ ନାହିଁ। ଏହି ପରିପ୍ରେକ୍ଷୀରେ ସେ ଭଉଣୀଙ୍କ ମୁକ୍ତି ପାଇଁ ପଦକ୍ଷେପ ନେବାକୁ ଆନ୍ତର୍ଜାତିକ ମହଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅପରପକ୍ଷରେ ଝାନ୍‌ ବନ୍ଦୀ ଥିବା ସାଙ୍ଘାଇ କାରାକାର କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଉ ନାହାନ୍ତି।

ପୂର୍ବତନ ଆଇନଜୀବୀ ଝାନ୍‌ ୨୦୨୦ ଫେବୃଆରୀରେ ଉହାନ୍‌ ଯାଇ ସେଠାରେ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ କରୋନା ସମ୍ପର୍କରେ ଖବର ପରିବେଷଣ କରୁଥିଲେ। ସେ ତଥ୍ୟ ପ୍ରମାଣ ସହ ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ସରକାର ତାଙ୍କୁ ପ୍ରଥମେ ଅଟକ ରଖିଥିଲେ। ବିଚାର ପରେ ଡିସେମ୍ବରରୁ ତାଙ୍କୁ ୪ ବର୍ଷ ପାଇଁ କାରାଦଣ୍ଡ ଭୋଗିବାକୁ ପଡ଼ୁଛି। ଆନ୍ତର୍ଜାତିକ କ୍ଷମା ସଂସ୍ଥା ଓ ମାନବାଧିକାର ସଂଗଠନଗୁଡ଼ିକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏବେ ତୁରନ୍ତ ଝାନ୍‌ଙ୍କୁ ମୁକ୍ତି ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଦବାକୁ ସେମାନେ ଦାବି କରିଛନ୍ତି।

Comments are closed.